କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ କିସକୁ ଛୁଟି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରିବା ସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶୁକ୍ରବାର ସମସ୍ତ ସ୍କୁଲ, କଲେଜ, ସିନେମା ହଲ, ମଲ୍‌ ଓ ସଭା ସମିତି ଆଦି ବନ୍ଦ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ତଥା ଚାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କିସ୍‌ କର୍ତ୍ତୃପକ୍ଷ ମଧ୍ୟ ଛୁଟି ଘୋଷଣା କରିଛନ୍ତି। କିସ୍‌ରେ ୩୦ ହଜାର ଛାତ୍ରଛାତ୍ରୀ ଏକାଠି ରହୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏବଂ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଅବକାଶର ଯଥେଷ୍ଟ ପୂର୍ବରୁ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କରୋନା ସଂପର୍କରେ ସଚେତନ କରାଇବା ସହ ଘରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

 କିସ୍‌ ଇତିହାସରେ ଗତ ୨୮ ବର୍ଷ ମଧ୍ୟରେ ବହୁ ବନ୍ୟା, ବତ୍ୟା, ଝଡ ବର୍ଷା କିମ୍ବା ବଜାରରେ ଖାଦ୍ୟ ସାମଗ୍ରୀର ଅହେତକୁ ଦରବୃଦ୍ଧି ଓ ନିଅଣ୍ଟିଆ ଆଦି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିସ୍‌ରେ ଅନିବାର୍ଯ୍ୟ ଛୁଟି ଘୋଷଣା କରାଯାଇ ନଥିଲା। ଏହି ଅବସରରେ ପ୍ରତି ପିଲାଙ୍କୁ ସବୁବେଳେ ହାତ ସଫା ରଖିବା ପାଇଁ ୫ଟି ଲେଖାଏଁ ସାବୁନ ଦିଆଯାଇଛି। ସେମାନେ ଘରେ ପହଞ୍ଚିବା ପରେ ନିଜ ହାତକୁ ସବୁବେଳେ ସଫା ରଖିବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ହାତ ସଫା ରଖିବାକୁ ପରାମର୍ଶ ଦିଆଯାଇଛି।

ଛାତ୍ରଛାତ୍ରୀମାନେ ମଧ୍ୟ ଗାଁରେ ଅନ୍ୟମାନଙ୍କୁ ସଚେତନ କରାଇବା ସହ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେବେ ବୋଲି ସେମାନଙ୍କୁ କୁହାଯାଇଛି। ଛୁଟି ସମୟରେ ଘରେ ପିଲାମାନଙ୍କ ପାଠପଢାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ସହ ଯୋଗାଯୋଗରେ ରହିବେ। କରୋନା ସଂପର୍କରେ ଜଣାପଡ଼ିବା ପରେ କିସ୍‌ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.