ଅକ୍ଷୟ ପରିଜାଙ୍କ ଓକିଲ ଆକାଶ ଭୂଇଁୟାଙ୍କ ବଡ଼ ବୟାନ: ନିରପେକ୍ଷ ତଦନ୍ତ ହେଲେ ଖୋଲିବ ବଡ଼ ବଡ଼ିଆଙ୍କ ମୁଖା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ୨ରୁ ୪ଦିନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବେ । ଗତକାଲି ତାଙ୍କୁ ନୋଟିସ୍‌ ହୋଇଥିଲା । ଆଜି ଇଡିରେ ହାଜର ହୋଇଥିଲେ ତାଙ୍କ ଓକିଲ ଆକାଶ ଭୂୟାଁ । ଅକ୍ଷୟ ପରିଜା ଗତକାଲି ରାତିରେ ବ୍ୟାଙ୍କକ୍‌ରୁ ଫେରିଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପ୍ରୋଟୋକଲ୍‌ ଅନୁସାରେ ଆଇସୋଲେସନରେ ଅଛନ୍ତି ।

ଆସନ୍ତା ୨ରୁ ୪ଦିନ ମଧ୍ୟରେ ସେ ଇଡିରେ ବ୍ୟକ୍ତିଗତ ଭାବେ ହାଜର ହେବେ । ତଦନ୍ତରେ ସେ ସମସ୍ତ ସହଯୋଗ କରିବେ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି, ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଓ ବ୍ଲାକମେଲିଂ ପଛରେ ବଡ଼ ଷଡଯନ୍ତ୍ର ରହିଛି । ନିରପେକ୍ଷ ତଦନ୍ତ ହେଲେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ ବୋଲି ଅକ୍ଷୟ ପରିଜାଙ୍କ ଓକିଲ କହିଛନ୍ତି । ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା । ବ୍ଲାକମେଲିଂ କରିଥିବା ନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ସେ ଏତଲା ଦେଇଥିଲେ ।

ଅକ୍ଷୟ ପରିଜା ନିଜ ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ୨୩ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ । ଅର୍ଚ୍ଚନା ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ନହେଲେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇଥିଲେ ଅର୍ଚ୍ଚନା । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି । ଏହାରି ଭିତରେ ୧୫ ଜଣଙ୍କୁ ହାଜର ହେବାକୁ ଇଡି ନୋଟିସ୍‌ ଜାରି କରିଥିବା ସୂଚନା ମିଳିଛି । ତାଙ୍କ ଭିତରେ ଅଛନ୍ତି କିଛି ବ୍ୟବସାୟୀ, ରାଜନେତା ଓ ବିଲଡର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.