ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ମୃତ୍ୟୁ, ଇନଷ୍ଟାଗ୍ରାମରେ ଲେଖିଲେ ‘ମୁଁ ଯାହା ପ୍ରୋମିଜ କରିଥିଲି ତାକୁ ରକ୍ଷା କରିପାରିଲି ନାହିଁ’

ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ଇନଷ୍ଟଗ୍ରାମ ସ୍ଟାଟସ।  ଯେଉଁଥିରେ ସେ କହିଛନ୍ତି "ମୁଁ ଯାହା ପ୍ରୋମିଜ କରିଥିଲି ତାକୁ ରକ୍ଷା କରିପାରିଲି ନାହିଁ। ତମେ ମୋତେ ଖରାପ ଭାବିପାର। ତୁମେ ମାନେ ଆଗକୁ ବଢିଚାଲ। ଆରପାରିରେ ଦେଖା ହବ।

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଖସି ପଡ଼ିଲେ ନା ଆତ୍ମହତ୍ୟା ? କେମିତି ଓ କେଉଁ ପରିସ୍ଥିତିରେ ଅନିରାଜ ଟୁଡୁଙ୍କର ମୃତ୍ୟୁ ହେଲା ? ତନାଘନା ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଛି । ଏବେ ସାମନାକୁ ଆସିଛି ଅନିରାଜଙ୍କ ଶେଷ ଇନଷ୍ଟାଗ୍ରାମ୍‌ ଷ୍ଟାଟସ୍‌ । ଯେଉଁଥିରେ ସେ ଲେଖିଛନ୍ତି, ମୁଁ ଯାହା ପ୍ରୋମିଜ୍‌ କରିଥିଲି ତାକୁ ରକ୍ଷା କରିପାରିଲି ନାହିଁ । ତମେ ମୋତେ ଖରାପ ଭାବିପାର । ତୁମେମାନେ ଆଗକୁ ବଢ଼ିଚାଲ । ଆରପାରିରେ ଦେଖା ହେବ । ତେବେ କାହା ଉଦ୍ଦେଶ୍ୟରେ ଷ୍ଟାଟସ୍‌ ପୋଷ୍ଟ କରିଥିଲେ ଅନିରାଜ ? କଣ ପ୍ରୋମିଜ୍‌ କରିଥିଲେ ଯାହା ପୂରଣ କରି ପାରିଲେ ନାହିଁ ? ଅନିରାଜଙ୍କ ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟରୁ ଜଣା ପଡୁଛି ସେ ଆତ୍ମହତ୍ୟା କରିଛନ୍ତି ।

ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲା ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସେ କଟକରେ ଆଇନ ବିଶ୍ୱବିଦ୍ୟାଳୟର BA.LLB ଛାତ୍ର ଥିଲେ । ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟକୁ ଆସିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ କହଥିଲେ ୮ ମହଲା କୋଠାର ଗୋଟିଏ ରୁମକୁ ଯିବେ । ସେ ଯେଉଁ ରୁମ୍‌ କଥା କହିଥିଲେ, ସେଠାରେ ଦୁଇ ବର୍ଷ ହେବ କେହି ରହୁ ନଥିଲେ । ସେହିପରି କଟକରେ ଅନିରାଜ ରହୁଥିବା ହଷ୍ଟେଲ ରୁମରୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ଅନିରାଜଙ୍କର କୌଣସି ସମସ୍ୟା ଥିଲା କି ? ପାଠପଢ଼ାକୁ ନେଇ ମାନସିକ ଚାପରେ ଥିଲେ କି ଅନିରାଜ ? ସେ କାହିଁକି ଚନ୍ଦ୍ରମା ଆପାର୍ଟମେଣ୍ଟ ଆସିଥିଲେ ଜଣାପଡିନି । ଖାରବେଳନଗର ଥାନା ପୋଲିସ ଅଧିକ ଖୋଳତାଡ କରୁଛି । ଚନ୍ଦ୍ରମା ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.