ମେକ୍‌୍‌ଇନ୍ ଓଡ଼ିଶାର ସଫଳତା : ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର : ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିକାଶ ପାଇଁ ରହିଛି ବିପୁଳ ସମ୍ଭାବନା। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏଥିପାଇଁ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହା ଫଳରେ ଓଡ଼ିଶାରେ ବାୟୋଟେକ୍ନାଲୋଜି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ତ୍ୱରାନ୍ୱିତ ହୋଇ ପାରିବ। ଆଗାମୀ ଦିନରେ ରାଜ୍ୟରେ ୮ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ମେକ୍ ଇନ୍ ଓଡ଼ିଶା ଅବସରରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ସମ୍ଭାବନା ଓ ବିକାଶ ଉପରେ ସ୍ୱତନ୍ତ୍ର ଅଧିବେଶନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଙ୍ଗଠନ ସହିତ ସରକାର ୫ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏଥିରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଏହି ଏମଓୟୁ ଉପସ୍ଥାପନ କରିଥିଲେ।
ଏହି ଶିଳ୍ପ ଓ ଶିଳ୍ପ ସଙ୍ଗଠନଗୁଡ଼ିକ ଭିତରେ ରହିଛି ସାପିଜେନ ବାୟୋଲୋଜିକ୍ସ, ହୁୱେଲ୍ ଲାଇଫ୍ ସାଇନ୍ସ, କ୍ରପଜିନି ଇନୋଭେସନ, ଆସୋସିଏସନ ଅଫ୍ ବାୟୋଲୋଜି ଲେଡ୍ ଏଣ୍ଟରପ୍ରାଇଜ୍ (ଏବିଏଲଇ) ଏବଂ ଗ୍ଲୋବାଲ୍ ନେଟୱର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ ପ୍ରଫେସନାଲ୍ସ ଫର ଓଡ଼ିଶା (ଜିଏନଇପିଓ)।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ‘‘ବାୟୋଟେକ୍ନୋଲୋଜିର ଗୁରୁତ୍ୱକୁ ବିଚାର କରି ରାଜ୍ୟ ସରକାର ଏହାକୁ ଅଗ୍ରାଧିକାର କ୍ଷେତ୍ର ଭାବେ ତାଲିକା ଭୁକ୍ତ କରିବା ସହ ଏହି କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ନୀତି ପ୍ରଣୟନ କରିଛନ୍ତି। ଏ ଦିଗରେ କାମ କରୁଥିବା ଗବେଷଣା ପ୍ରତିଷ୍ଠାନ, ଇନକ୍ୟୁବେସନ ସେଣ୍ଟର, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି।’’

ମେକ୍ ଇନ୍ ଓଡ଼ିଶାର ବାୟୋଟେକ୍ନୋଲୋଜି ଅଧିବେଶନରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ଶିକ୍ଷାବିତ, ଗବେଷକ, ଉଦ୍ୟୋଗୀ ଏବଂ ନିବେଶକ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଔଷଧ ଶିଳ୍ପ ଆଦି କ୍ଷେତ୍ରରେ ବାୟୋଟେକ୍ନୋଲୋଜି ଜ୍ଞାନକୌଶଳ ଏକ ବିପ୍ଲବ ଆଣିବାକୁ ଯାଉଛି। ତେଣୁ ଏ ଦିଗରେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ହବ୍ ହେବାର ସବୁ ପ୍ରକାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏହି ଅଧିବେଶନ ଅବସରରେ ବାୟୋଫାର୍ମା ଏବଂ କୃଷି ଓ ଶିଳ୍ପ କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ପ୍ରୟୋଗ ସମ୍ପର୍କରେ ଦୁଇଟି ପ୍ୟାନେଲ ଆଲୋଚନା ଆୟୋଜନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.