ଅତି ଶୋଚନୀୟ ଅବସ୍ଥାରେ ପାଇଖାନା ଘରେ ବିତୁଛି ଯୋଗେନ୍ଦ୍ରଙ୍କ ଜୀବନ, ଆହା ପଦେ କହିବାକୁ କେହି ନାହିଁ

ଝାରସୁଗୁଡା: ଗରିବଙ୍କ ପାଇଁ ସରକାରଙ୍କର ଅସଂଖ୍ଯ ଯୋଜନା। କିନ୍ତୁ କାହିଁକି ପ୍ରାୟତଃ କ୍ଷେତ୍ରରେ ଏସବୁ ସୁବିଧାରୁ ବଞ୍ଚିତ ହୁଏ ସେହି ଗରିବ। ସବୁ ଯୋଜନା ବାଟ ମାରଣା ହେବା ଯୋଗୁଁ କିଛି ଗରିବଙ୍କର ଜୀବନ ଅତି ଶୋଚନୀୟ ଅବସ୍ଥାକୁ ଚାଲିଯାଇଥାଏ। ଯାହା ପ୍ରଶାସନ, ସରକାର ଏବଂ ଅଧିକାରୀଙ୍କ ନଜରକୁ ଆସେନାହିଁ। ଏହେଉଛି, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଳକ ଭିଖମ ପାଲି ପଞ୍ଚାୟତ ଅନ୍ତର୍ଗତ ଜାମପାଲି ଗ୍ରାମର ଦିନ ମଜୁରିଆ ଯୋଗେନ୍ଦ୍ର ନିଖୁଣ୍ଟିଆଙ୍କ କରୁଣ ଦୁଃଖର କାହାଣୀ ।

ଗରିବ ସାଙ୍ଗକୁ ପ୍ରଶାସନର ଅଣଦେଖା ତାଙ୍କୁ ବାଧ୍ଯ କରିଛି ପାଇଖାନାରେ ଜୀବନ ବିତାଇବାକୁ। ହଁ କୌଣସି ଯୋଜନା ନ ମିଳିବା କହିବା ମଧ୍ୟ ଭୁଲ ହେବ, କାରଣ  ସ୍ୱଚ୍ଛ ଭାରତ ଯୋଜନାରେ ତିଆରି ହୋଇଥିବା ପାଇଖାନା ଘରେ ସେ ଦିନ କାଟୁଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରିଲେ ତାଙ୍କ ପେଟ ପୁରେ। କିନ୍ତୁ ଗତବର୍ଷ ବର୍ଷାରେ ତାଙ୍କ ନିଜର ଥିବା ଏକ ଝାଟି ମାଟି ଘର ଖଣ୍ଡିକ ଭାଙ୍ଗି ଯାଇଥିଲା । ଏଭଳି ସମୟରେ ଘର ତିଆରି କରିବାର ସପ୍ନ ସେ କେମିତି ଦେଖିବେ? ବାଧ୍ୟ ହୋଇ ପାଇଖାନା ଘରକୁ ଆଦରି ନେଇଥିଲେ ଏବଂ ସେଇଟା ହିଁ ତାଙ୍କର ଶେଷ ସମ୍ପତି।

latin ତାଙ୍କର ରାସନ କାର୍ଡ ତ ଅଛି କିନ୍ତୁ ସରକାରୀ ବ୍ୟବସ୍ଥା କାରଣରୁ ସେ ରାସନ ପାଇବାରୁ ବଞ୍ଚିତ। କାରଣ ଆଧାର କାର୍ଡ ରେ ତ୍ରୁଟି ହେବାରୁ କୁଆଡେ ତାଙ୍କୁ ଯୋଗାଣ ବିଭାଗ ତରଫରୁ ରୁ ଚାଉଳ କି ଗହମ ମିଳୁ ନାହିଁ । ଆଧାର ତ୍ରୁଟି କୁ ସମାଧାନ କରିବ କିଏ? ଆଧାରରେ ତ୍ରୁଟି ହେଲେ ସରକାରୀ ବାବୁ ମାନେ ତ୍ରୁଟି ସଜାଡ଼ିବା ବା ଏ କ୍ଷେତ୍ର ରେ କାମ କରିବା କଥା, କିନ୍ତୁ ସରକାରୀ ବାବୁ ଙ୍କର କଣ ଗରିବ ଲୋକ ଙ୍କ ପାଇଁ ସମୟ ଅଛି?

ଏ କ୍ଷେତ୍ର BDOଙ୍କୁ କହି ସମସ୍ୟାର ସମାଧାନ କରାଯିବ ବୋଲି DRDA ର ପ୍ରକଳ୍ପ ଅଧିକାରୀ କହିବା ସହ ଯଦିଓ ଏବର୍ଷ ଯୋଗେନ୍ଦ୍ରଙ୍କର ନାମ ଆବାସ ଯୋଜନାରେ ନାହିଁ ତଥାପି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ତଥାପି ଆଶା ଅଛି ଯୋଗେନ୍ଦ୍ରଙ୍କର ସମସ୍ୟାର ସମାଧାନ ହେବ ଏବଂ ସେ ପାଇଖାନାର ଜୀବନରୁ ବାହାରି ଖଣ୍ଡିଏ ଘରେ ରହିବେ।

ଝାରସୁଗୁଡାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ କେନ୍ୟୁଜ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.