ଭୁଶୁଡୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ

ମାଲକାନଗିରି(କେନ୍ୟୁଜ୍): ଆଜି ମାଲକାନଗିରି SP ନିତିଶ ୱାଦୱାନି ଏବଂ BSF DIGଙ୍କ ନିକଟରେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା BSF କ୍ୟାମ୍ପରେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେପଟେ ମାଓବାଦୀ କୁଶ ପୁତଳିକା ଦାହ କରିବା ସହ ମାଓବାଦୀଙ୍କ ସହୀଦ ସ୍ତମ୍ଭକୁ ଭାଙ୍ଗିଛନ୍ତି ମାଓ ସମର୍ଥକ।ପୋଲିସ ସହ ହାତକୁ ହାତ ମିଶାଇ ମାଓବାଦୀଙ୍କ ହିଂସାକୁ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଶାନ୍ତି ବଜାୟ ରଖିବାକୁ ସ୍ୱାଭିମାନ ଅଞ୍ଚଳବାସୀ ଶପଥ ନେଇଛନ୍ତି।ପୋଲିସ ପକ୍ଷରୁ ଶାଢ଼ୀ ଏବଂ ଆସବାବପତ୍ର ବଣ୍ଟନ କରାଯାଇଛି। ଦୀର୍ଘ ଦଶନ୍ଧି ହେବ ମାଓ କବ୍ଜାରେ ଥିଲା ଏହି ଅଞ୍ଚଳ । ସୁରକ୍ଷା କର୍ମୀଙ୍କ କଡା ପହରା ଯୋଗୁଁ ଏବେ ମାଓବାଦୀ ବ୍ୟକ ଫୁଟରେ।

ଏତେ ସହଜ ନଥିଲା ସ୍ୱାଭିମାନ ଅଞ୍ଚଳକୁ ମାଓ ମୁକ୍ତ କରିବା।ଅନେକ ସୁରକ୍ଷା କର୍ମୀ ଆଉ ନିରୀହ ଜନତା ନିଜ ପ୍ରାଣ ବଳି ଦେବାର ଆଜି ଫଳ ଆଜି ଦେଖିବାକୁ ମିଳୁଛି। ଆଜି ଏହି ସହ ସହ ମାଓ ସମର୍ଥକ ନିଜ ଅଞ୍ଚଳ ଆଉ ନିଜ ଲୋକଙ୍କ ଉନ୍ନତି ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତରଫରୁମଧ୍ୟ ଆଜି ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ଜବ କାର୍ଡ,  ଭିନ୍ନକ୍ଷମ କାର୍ଡ ଭଳି ସୁବିଧା  ବଣ୍ଟନ କରାଯାଇଛି। ପୂର୍ବରୁ ଗତ ଜୁନ ମାସରେରେ ୫୦ଟି ସକ୍ରିୟ ହାର୍ଡକୋର ମାଓବାଦୀ ସହ ୪୫୦ ମାଓ ସମର୍ଥକ ଡିଜିପିଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ।


ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ନିଜର ଜନତା ସରକାର ଚଳାଇଥିଲେ। ପ୍ରତିଦିନ ରକ୍ତର ହୋଲି ଖେଳୁଥିଲେ ମାଓବାଦୀ। ଆଜି ପର୍ଯ୍ୟନ୍ତ ଏହି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀର ଗୁଳିରେ ୩୭ ଗ୍ରେହାଉଣ୍ଡ ଯବାନ, ୦୭ ବିଏସଏଫ ଜବାନ, ୪ ଜଣ ଓଡିଶା ପୋଲିସ ଏବଂ ୪୦ ନିରୀହ ସ୍ଥାନୀୟ ଆଦିବାସୀ ମାଓବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ। ହଜାର ହଜାର ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇ ଏହି ଅଞ୍ଚଳ ଛାଡିବାକୁ ପଡିଥିଲା। ସ୍ୱାଭିମାନ ଅଞ୍ଚଳରେ ୯ଟି ପଞ୍ଚାୟତ ରହିଛି। ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏହି ଅଞ୍ଚଳରେ ମାଓବାଦୀ ନିଜ ଗଡ଼ କରି ରହୁଥିଲେ। ଯାହାକି ସିପିଆଇ (ମାଓବାଦୀ) ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି (AOBSZC) ମାଓ ସଙ୍ଗଠନ ନିଜର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଉଥିଲେ। ତେବେ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ ଏହି ସ୍ୱାଭିମାନ ଅଞ୍ଚଳରେ ଶାନ୍ତି ଫେରି ପାଇଛି।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଧୀରେ ଧୀରେ ଆଗକୁ ଗଡି ଚାଲିଲା। ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ସହିତ ସୁରକ୍ଷା ବାହିନୀର କଡା ସୁରକ୍ଷା ଯୋଗୁଁ ଶତାଧିକ ମାଓ ସମର୍ଥକ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଲେ। ଗୁରୁପ୍ରିୟା ସେତୁ ୨୦୧୮ରେ  ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦଘାଟିତ ହୋଇଥିଲା । ଯାହାକି ନୂତନ ରାସ୍ତା, ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଞ୍ଚଳର ସମସ୍ତ ଘରକୁ ବିଦ୍ୟୁତ୍ ଯୋଗାଣ ଭଳି ବିକାଶମୂଳକ କାର୍ଯ୍ୟକଳାପ ଲୋକଙ୍କ ହାତ ପାଆନ୍ତାରେ ପହଁଚି ପାରିଥିଲା। ତା ସହ ଏହି ସ୍ୱାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସ ଏବଂ ୧୧୨ ଆମ୍ବୁଲାନ୍ସ ସେବା ଭଳି ଚିକିତ୍ସା ସୁବିଧା ଆରମ୍ଭ ହୋଇଛି। ଅନେକ ରାସ୍ତା ଓ ସେତୁ ନିର୍ମାଣ ହୋଇଛି। ପରିବହନ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତମାନଙ୍କୁ ଅନେକ ମଟର ଡଙ୍ଗା ଏବଂ ବସ୍ ଦିଆଯାଇଛି | ଗାଁ ଗାଁରେ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ।ଏଭଳି ଅନେକ ରାଜ୍ୟ ସରକାର ଏହି ସ୍ୱାଭିମାନ ଅଞ୍ଚଳରେ ଯୋଜନା ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚାଇ ପାରିଛନ୍ତି।


ଆଗକୁ ମାଓ ମୁକ୍ତ କରିବା ପାଇଁ ଏହି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯିବ।ତା ସହ ମାଓ ଇଲାକା ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ବିକାଶ କାର୍ଯ୍ୟ କିଭଳି ଆଗକୁ ବଢି ପାରିବ ତା ପ୍ରତି ଅଧିକ ଧ୍ୟାନ ଦିଆଯିବ ଆଉ ମାଓବାଦୀଙ୍କୁ ହିଂସା ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି SP ଏବଂ BSF DIG ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.