ଆରମ୍ଭ ହେବ ମୋ ସରକାର, ନିଜେ ମୁଖ୍ୟମନ୍ତ୍ରୀ ଫୋନ୍‌ କରି ବୁଝିବେ ଆପଣଙ୍କ ଅସୁବିଧା

ଏବେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ। ସୁବିଧା ଅସୁବିଧା ବୁଝିବେ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ଷମ । ୫-Tକୁ ଆଧାର କରି ସରକାର ଏହାକୁ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ ମାନି କାମ କରିବେ ।
ନିଜେ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଫୋନ୍‌ କରିବେ। ଥାନା ଓ ହସ୍ପିଟାଲରେ କିପରି ସୁବିଧା ପାଉଛନ୍ତି ? ସେ କଥା ପଚାରି ବୁଝିବେ। ଥାନାରେ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଯାଉଛି ସେ କଥା ପଚାରିବେ। ସରକାରୀ ଅଫିସରରେ ସୁବିଧା ଅସୁବିଧା କଣ, ଏ ସବୁ ବିଷୟ ଫୋନ୍‌ କରି ବୁଝିବେ ମନ୍ତ୍ରୀମାନେ। ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମଧ୍ୟ ସରକାରୀ ଅଫିସରେ ମିଳୁଥିବା ସେବା ବିଷୟରେ ପଚାରି ବୁଝିବେ। ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର।

ବିଜୁଳି ସମସ୍ୟାର ସମାଧାନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି କାହା ଘରେ ବିଜୁଳି ସଂଯୋଗ ହୋଇନାହିଁ, ସେମାନେ ପଞ୍ଚାୟତ ଅଫିସରେ ଦରଖାସ୍ତ ଦେବେ । ଏହାର ୪୮ ଘଣ୍ଟା ଭିତରେ ସେମାନଙ୍କ ଘରକୁ ବିଜୁଳି ସଂଯୋଗ କରାଯିବ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ଲୋକଙ୍କ ସେବା ପାଇଁ ହିଁ ସରକାର । ଲୋକଙ୍କ ପାଇଁ ସରକାର ଚାଲିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ଲୋକଙ୍କ ଟଙ୍କାରେ ସରକାର ଚାଲିଛି । ଚଳିତବର୍ଷ ପ୍ରଥମ ଥର ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.