ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ସ୍ବର ଉଠାଇ ବିଧାନସଭାରେ ଝଡ଼ ଉଠାଇଲେ ମୋହନ ମାଝୀ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ପ୍ରଧାନମନ୍ତ୍ରୀ ଆବାସ ଝଡ଼। ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବାଚସ୍ପତି ଅଧିକ ସମୟ କହିବାକୁ ସୁଯୋଗ ଦେଇ ନଥିବାରୁ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ମାନେ ହୋହଲ୍ଲା କରିଥିଲେ। ମୁଖ୍ୟ ବିରୋଧୀ ଦଳ ବିଜେପିକୁ ବାଚସ୍ପତି ସମ୍ମାନ ଦେଉ ନାହାନ୍ତି ବୋଲି ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ। ପରେ ବିଜେପିର ସଦସ୍ୟ ମାନେ ହାତରେ ବ୍ୟାନର ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ। ବାରମ୍ବାର ଅଭିଯୋଗ ପରେ କେନ୍ଦ୍ରୀୟ ଟିମ ଓଡିଶା ଆସି ତଦନ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦଳ ଅଭିଯୋଗ ଆଣିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ଅବହେଳା କରାଯାଉଛି। ୯ଟି ଜିଲ୍ଲାକୁ ଗୋଟିଏ ବି ଘର ମିଳିନାହିଁ।

ବାଚସ୍ପତିଙ୍କ ନିର୍ଦେଶ କ୍ରମେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ବିଜେପି ସଦସ୍ୟଙ୍କୁ ଗାନ୍ଧୀ ମୂର୍ତ୍ତି ତଳେ ସାକ୍ଷାତ କରି ଗୃହକୁ ଯିବାକୁ ଅନୁରୋଧ କରିଥିଲେ। ତେବେ ବିଜେପି ବିଧାୟକ ଏଥିରେ ରାଜି ହୋଇନଥିଲେ। ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନଥିବା ସେ କହିଛନ୍ତି। ଆବାସ ପୋର୍ଟାଲକୁ କେନ୍ଦ୍ର ସରକାର ବନ୍ଦ କରି ଆମ ଉପରେ ଦୋଷ ଲଦୁଛନ୍ତି। ବିଜେପି ଓ କଂଗ୍ରେସ ପାଳି କରି ଗୃହ ଭିତରେ ଦିନେ ହଙ୍ଗାମା କରୁଛନ୍ତି। ଉଭୟ ଦଳ ମଧ୍ୟରେ ବାଗୁଡି ଖେଳ ଚାଲିଛି ବିଜେଡି କହିଛି।

 

ହଟଗୋଳ ଭିତରେ ବିଧାନସଭାରେ ତିନୋଟି ବିଲ ପାରିତ ହୋଇଛି । ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ,ଓଡିଶା ବିନିଯୋଗ ଅଧିନିୟମ ବିଲ ଓ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ସଂଶୋଧନ ବିଲ ଗୃହରେ ପାରିତ ହୋଇଛି ।  ଏହି ସମୟରେ କଂଗ୍ରେସର କକ୍ଷ ତ୍ୟାଗ କରିଥିଲା  । ସୋମବାର ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି  ବାଚସ୍ପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.