ପ୍ରେମ ହେଲା କାଳ: ପୁଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟାକରି ଦିଆଯାଇଛି ଆତ୍ମହତ୍ୟାର ରୂପ, କାନ୍ଦି କାନ୍ଦି ସାମ୍ବାଦିକ ସମ୍ମିଳନୀରେ ଖୁଲାସା କଲେ ମା’

ଚାନ୍ଦବାଲି: ନିଜ ପ୍ରେମିକା କେବେ ମୃତ୍ୟୁର କାରଣ ସାଜିବ ବୋଲି କେବେ କଳ୍ପନା ବି କରି ନଥିବେ କୌଣସି ବି ପ୍ରେମିକ । ଚାନ୍ଦବାଲି ଥାନା ମତୋ ପାଟଣାସାହି ଗାଁର ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ନିଜ ୨୩ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଚାନ୍ଦବାଲି ଥାନାରେ ତାଙ୍କ ପ୍ରେମିକାଙ୍କ ପରିବାର ଲୋକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।ତେବେ ଅଭିଯୋଗ ପରେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରିଙ୍କୁ ଗିରଫ କରୁନାହାନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବକଙ୍କ ପରିବାର ଲୋକେ ଅଭଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ଚାନ୍ଦବାଲି ମତୋ ପାଟଣା ସାହି ଗ୍ରାମର ନରେନ୍ଦ୍ର ମହାନ୍ତିଙ୍କ ଏକମାତ୍ର ପୁଅ ପ୍ରଫୁଲ୍ଲ ଓରଫ କାଳିଆଙ୍କ ମୃତଦେହ ପାଖ ବଣିଆସାହି ଜଳ ଯୋଗାଣ କେନ୍ଦ୍ର ନିକଟରେ ଗତ ଫେବୃଆରି ମାସରେ ଠାବ ହୋଇଥିଲା । ପ୍ରଫୁଲ୍ଲ ଜଣେ ଝିଅକୁ ଭଲ ପାଉଥିଲେ ଏବଂ ସେହି ଝିଅର ପରିବାର ଲୋକେ ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଥିଲେ ବୋଲି ପ୍ରଫୁଲ୍ଲଙ୍କ ମାଆ କହିଛନ୍ତି । ପ୍ରଫୁଲ୍ଲଙ୍କ ଶବ ଠାବ ହୋଇଥିବା ଗଛ ନିକଟରେ ଏକାଧିକ ପାଦ ଚିହ୍ନ ମଧ୍ୟ ଦେଖବାକୁ ମିଳିଥିଲା । ଏନେଇ ପ୍ରଫୁଲ୍ଲଙ୍କ ପରିବାର ଲୋକେ ଚାନ୍ଦବାଲି ପୋଲିସ ଷ୍ଟେସନରେ ହତ୍ୟାକାରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣାକୁ ୭ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସଙ୍କ ପକ୍ଷରୁ କୌଣସି ଉଚିତ୍‌ ପଦକ୍ଷେପ ନିଆଯାଇନାହିଁ । ଏନେଇ କାଳିଆଙ୍କ ପରବାର ଲୋକେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହତ୍ୟାକାରୀଙ୍କୁ ଗିରଫ କରି ଉଚିତ ଶାସ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି । ପୁଅକୁ ହତ୍ୟା କରି ତାକୁ ଆତ୍ମହତ୍ୟାର ରୂପ ଦେଇ ଅପପ୍ରଚାର କରୁଥିବାରୁ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ଯୁବକଙ୍କ ମାଆ । ଅନ୍ୟପକ୍ଷରେ ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.