ବାତ୍ୟା ପରେ ବଦଳୁଛି ରାଜନୈତିକ ପାଣିପାଗ, ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍ : ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ଜୋର ଧରିଥିଲା ଆରୋପ-ପ୍ରତ୍ୟାରୋପ । ଲାଗୁଛି ଫନି ପରେ ଏବେ ବଦଳିଛି ରାଜନୈତିକ ପାଣିପାଗ । ପ୍ରଳୟଙ୍କରୀ ବାତ୍ୟା ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ବିପନ୍ନଙ୍କୁ ସହୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ନବୀନ । ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଫନିରେ ପ୍ରାଥମିକ ଆକଳନ ଅନୁସାରେ ୧୪ଟି ଜିଲ୍ଲାରେ ୫ଲକ୍ଷରୁ ଅଧିକ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ପିଏମଏୱାଇରେ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ଅନୁରୋଧ ଜଣାଇଛନ୍ତି । ରାଜ୍ୟରେ ଜୁନ ୧୦ତାରିଖ ବେଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ପକ୍କା ଘର ନିର୍ମାଣ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଏଥିରେ କେନ୍ଦ୍ର ଓ ରାଜ୍ୟର ପାଣ୍ଠି ଭାଗୀଦାରି ୯୦:୧୦ କରିବାକୁ ସେ ଦାବି ରଖିଛନ୍ତି।

ସେହିପରି ମାଗଣାରେ ଅତିରିକ୍ତ ଏକ ହଜାର କିଲୋଲିଟର କିରୋସିନ ଯୋଗାଇବା ପାଇଁ ରାଜ୍ୟର ଅନୁରୋଧ ରଖିଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟ୍ଵିଟ କରି ଧନ୍ୟବାଜ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୧୦ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାକୁ ଅତିରିକ୍ତ ୧୦୦୦ କିଲୋଲିଟର କିରୋସିନ ଯୋଗାଣ ପାଇଁ ଚିଠି ଲେଖିଥିଲେ । ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର । ସେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ପ୍ରଭାବିତ ଓଡ଼ିଶାକୁ ଅତିରିକ୍ତ ଏକହଜାର କିଲୋଲିଟର କିରୋସିନି ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ୧ ହଜାର କିଲୋଲିଟର କିରୋସିନ ବାବଦରେ ୩ କୋଟି ୨୦ ଲକ୍ଷଲ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅତବା ରାଜ୍ୟ ତହବିଲକୁ ଯୋଗାଇଦେବ ।

ଏହାବ୍ୟତୀତ ଅତିରିକ୍ତ ଏକ ହଜାର କିଲୋଲିଟର କିରୋସିନି ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ପ୍ରଭାବିତଙ୍କ ଘରକୁ ଆଲୋକିତ କରିବା ପାଇଁ ଏହା ବେଶ ସହାୟକ ହେବ । ଏନଡିଏ ନୂଆ ସାଥି ସନ୍ଧାନରେ ଥିବା ବେଳେ ମୋଦି ଓ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଧନ୍ୟବାଦକୁ ନେଇ ରାଜନୈତିକ ମହଲରେ ନାନା ଆଲୋଚନା ହେଉଛି ।

ପୂର୍ବରୁ ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ବାତ୍ୟା ଫନି ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ବହୁତ ବଡ଼ ପଦକ୍ଷେପ। ଏହାସହ ଓଡ଼ିଶାବାସୀଙ୍କୁ ବି ତାରିଫ କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନି ଲୋକେ ସୁରକ୍ଷିତ ସ୍ଥାନକୁ ତତ୍କାଳ ଚାଲି ଯାଇଥିବାରୁ ଜୀବନହାନିକୁ ରୋକାଯାଇ ପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.