ନୂଆପଡ଼ା ଅଲେଖ ମହିମା ମଠରେ ପାଳିତ ହୋଇଛି ନୂଆଖାଇ ପର୍ବ

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ । ଏହି ନୂଆଖାଇ ପର୍ବକୁ ପଶ୍ଚିମ ଓଡିଶାର ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ସାଧାରଣତଃ ପଶ୍ଚିମ ଓଡିଶାବାସୀ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରିଥାନ୍ତି। । ହେଲେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ନୂଆପଡା ଜିଲ୍ଲାର ବିଭିନ୍ନ ମହିମା ମଠରେ ମହିମା ଧର୍ମାବଳମ୍ବୀ ଲୋକମାନେ ନବାନ୍ନ ଖାଇଥିବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛିା ଏଥିରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡ, କଲାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବହୁ ମହିମା ଧର୍ମାବଳମ୍ବୀ ଭକ୍ତମାନେ ଏକତ୍ରିତ ହୋଇ ନୂଆଖାଇ ପର୍ବକୁ ଧୁମଧାମର ସହ ପାଳନ କରିଥିଲେ ।

ନୂଆପଡା ଜିଲ୍ଲାର ପବିତ୍ର ପାତାଳ ଗଙ୍ଗା ତୀର୍ଥ କ୍ଷେତ୍ର ସ୍ଥିତ ଅଲେଖ ମହିମା ମଠରେ ଓ ତୁକୁଲା ଗାଁର ଅଲେଖ ମହିମା ମଠରେ ନୂଆଖାଇ ପର୍ବ ପାଳିତ ହୋଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ବିଶ୍ୱର କଲ୍ଯାଣ ପାଇଁ ତୁକୁଲା ମହିମା ମଠର ପରିଚାଳକ ତ୍ଯାଗୀ ବାବା ଲକ୍ଷ୍ମଣ ଦାସ ଓ ପାତାଳ ଗଙ୍ଗା ମହିମା ମଠର ବାବା ଅରବିନ୍ଦ ଦାଶଙ୍କ ନେତୃତ୍ୱରେ ଶ୍ରାବଣ ମାସ ଗହ୍ମାପୂର୍ଣ୍ଣୀମାରେ ନୂଆଖାଇ ପର୍ବକୁ ଧୁମଧାମର ସହ ପାଳନ କରାଯାଇଛି। । ଏଥିପାଇଁ ପ୍ରଥମେ ନୂଆଖାଇର ପୂର୍ବଦିନରେ ବିଶ୍ୱବାସୀଙ୍କ କଲ୍ଯାଣ ନିମନ୍ତେ ଅଲେଖ ମଠରେ ଏକ ସ୍ୱତନ୍ତ୍ର ହୋମଯଜ୍ଞ ହୋଇଥିଲା ।ଏଥିରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡ,କଲାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ମହିମାଧର୍ମାବଳମ୍ବୀ ଭକ୍ତମାନେ ସାମିଲ ହୋଇଥିଲେ ।

ମହିମା ଧର୍ମାବଳମ୍ବୀ ଭକ୍ତମାନେ ପ୍ରଭୁ ଭଗବାନ ନିରାକାରଙ୍କୁ ପୂଜାର୍ଚ୍ଚନା କରି ନୂତନ କଳସରେ ନୂଆଧାନକୁ ବିଲରୁ ସଂଗ୍ରହ କରି ଆଣିଥିଲେ । ପରେ ନୂଆଧାନକୁ ଏକ ନୂଆମାଟି ପାତ୍ରରେ ଭରିବା ପରେ ଚୁଡା ତିଆରି କରି ତହିଁରେ ଗୁଡଦଧିକୁ ମିଶାଇ କ୍ଷିରି ପୁରୀ ପ୍ରସ୍ତୁତ କରି ପ୍ରଭୁ ନିରାକାରଙ୍କୁ ଅର୍ପଣ କରିଥିଲେ । ପରେ ସମସ୍ତେ ଏକତ୍ରୀତ ହୋଇ ନୂଆଖାଇଥିବା ମହିମା ଧର୍ମାବଳମ୍ବୀ ଭକ୍ତମାନେ କହିଛନ୍ତି ।

ପ୍ରତିବର୍ଷ ଭଳି ଏଥର ମଧ୍ଯ ଶ୍ରାବଣମାସ ଗହ୍ମାପୂର୍ଣ୍ଣିମାରେ ପବିତ୍ର ତୀର୍ଥକ୍ଷେତ୍ର ପାତାଳ ଗଙ୍ଗା ଓ ଖଡିଆଳ ବ୍ଲକ ତୁକୁଲା ଓ ସିନାପାଲି ବ୍ଲକ ସମେତ ପଡୋଶୀ ବଲାଙ୍ଗୀର, କଲାହାଣ୍ଡି ଜିଲ୍ଲା ଓ ପଡୋଶୀ ଛତିଶଗଡ ଅଂଚଳର ମହିମା ଧର୍ମାବଲମ୍ବିମାନେ ଏକତ୍ରୀତ ହୋଇଥିଲେ । ବହୁବର୍ଷଧରି ଏଠାରେ ନୂଆ ଖାଇବାର ପରମ୍ପରା ଚାଲି ଆସୁଅଛି । ଏପରିକି ପୂର୍ବ ଓଡିଶାର ଜୋରନ୍ଦାଗାଦିରୁ ମଧ୍ଯ ଅନେକ ଭକ୍ତ ଆସି ନୂଆଖାଇ ପର୍ବରେ ସାମିଲ ହୋଇଥିବା ଦେଖିବାକୁ ମିଲିଥିଲା । ମହିମାଧର୍ମାବଳମ୍ବୀ ସାଧୁସନ୍ଥ ଓ ଭକ୍ତମାନେ ଏକତ୍ରୀତ ଭାବେ ନୂଆଖାଇବା ପରେ ବିଶ୍ୱବାସୀଙ୍କ କଲ୍ଯାଣ ପାଇଁ ପ୍ରଭୁ ନିରାକାରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ନୂଆଖାଇବା ପରେ ଭେଟଘାଟର ପରମ୍ପରା ଆୟୋଜନ ହୋଇଥିଲା । ଏଥିରେ ମହିମାଧର୍ମର ବୟୋଜ୍ଯେଷ୍ଠ ତଥା ବ୍ରହ୍ମଚାରୀ ସାଧୁସନ୍ଥମାନଙ୍କ ପାଦ ଛୁଇଁ ଅଲେଖ ଧର୍ମାବଳମ୍ବୀ ଭକ୍ତମାନେ ଆଶିର୍ବାଦ ଗ୍ରହଣ କରିଥିଲେ । ନୂଆଖାଇ ଭେଟଘାଟ ପରେ ଅଲେଖ ମହିମା ଭକ୍ତମାନେ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରି ଖଂଜଣୀ ବାଦ୍ୟ ସହ ଭଜନକୀର୍ତନ କରି ନୃତ୍ଯଗୀତ ଆସରରେ ମଜ୍ଜିଯାଇ ଖୁସି ମନାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.