ଓକାକ୍‌ କର୍ମଚାରୀ ନିଖୋଜ, ୩ ଦିନ ହେଲା ଟେର୍ ପାଉନି ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍) : ଓକାକ୍‌ କର୍ମଚାରୀ ନିଖୋଜ। ଗତ ୩ ଦିନ ହେଲା ଓକାକ୍‌ କର୍ମଚାରୀ ସ୍ୱାଧୀନ ବେହେରା ନାମକ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ଆଚାର୍ଯ୍ୟବିହାରସ୍ଥିତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରୁ ସେ ନିଖୋଜ ହୋଇଥିବା କୁହାଯାଉଛି। ଏ ନେଇ ସ୍ବାଧୀନଙ୍କ ମା’ ସୁଷମା ବେହେରା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ନି‌ଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ସ୍ୱାଧୀନ ସାଙ୍ଗମାନଙ୍କ ସହ ଜାଗମରାରେ ଭଡ଼ାରେ ରହୁଥିଲେ। ଓକାକ୍‌ର ‘ମୋ ସରକାର’ ଅଫିସ୍‌ରେ ସେ କାମ କରନ୍ତି। ତେବେ ଗତ ଶନିବାର ସେ ଅଫିସ୍‌ ଯାଇଥିଲେ। ରାତି ପ୍ରାୟ ୭ଟା ୫୫ରେ ସେ ସାଇକେଲ୍‌ରେ ଭଡ଼ା ଘରକୁ ଫେରିଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ସାଙ୍ଗମାନେ ତାଙ୍କୁ ଫୋନ୍‌ କରିଥିଲେ।

କିନ୍ତୁ ତାଙ୍କ ଫୋନ୍‌ ସ୍ବିଚ୍ ଅଫ୍ କହିଥିଲା । ଏହାପରେ ଏନେଇ ସାଙ୍ଗମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ସ୍ବାଧୀନ ଘରକୁ ବି ଯାଇନଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ମଧ୍ଯ ସ୍ବାଧୀନଙ୍କର କୌଣସି ପତ୍ତା ମିଳିନଥିଲା । ବାଧ୍ଯ ହୋଇ ଶେଷରେ ଥାନର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲେ ମଧ୍ଯ ୩ ଦିନ ହେଲା କିଛି ସୁରାକ୍‌ ପାଇପାରିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.