Below header

ଗଜପତି: ଗଞ୍ଜେଇ ଟ୍ରକରୁ ଜବତ କାଜୁ ବିକି ହରଡ଼ ଘଣାରେ ବିଡିଓ, ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ

ମୋହନା(କେନ୍ୟୁଜ୍):  ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ  ଚଞ୍ଚକତା  କରି କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୋହନା ବିଡିଓ ବଂଶୀଧର ଖୋସ୍ଲାଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ପତ୍ର ସଂଖ୍ୟା ୪୩୯୭/୩-୩-୨୦୨୧ ରେ ନିଲମ୍ବନ ଆଦେଶ ଦେଇଛି ବିଭାଗ । ଏହି ଘଟଣାରେ ଅଡବା ଥାନାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏଥି ସହ ଏହି ଘଟଣାରେ ଜଣେ ଏସ.ଆଇ  ଆଲୋକ ଜଗଦଲାଙ୍କୁ ପୂର୍ବରୁ ନିଲମ୍ବନ କରିଛନ୍ତି ଗଜପତି ଏସ.ପି ତପନ ପଟ୍ଟନାୟକ ।

ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା । ସେଥିରେ ୧୭ ଟନ ୮୧୪ କେଜି କାଜୁ ମଧ୍ୟ ଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିଲା ।

ତେବେ ଏଥିରେ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲ୍ଲେଖ କରାଯାଇଛି । ଏହାକୁ ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମୋହନା ବିଡ଼ିଓ ବଂଶୀଧର ଖୋସ୍ଲା ବିକ୍ରି କରିଛନ୍ତି । ଏହି ସମୟରେ ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଅଡବା ଥାନା ଅଧିକାରୀ ତପନ କୁମାର ପତି ମଧ୍ୟ ଉପସ୍ଥି ଥିଲେ ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ । ଅଡବା ଥାନା ଏସଆଇ ଆଲୋକ ଜଗଦଲା ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ତୁଲାଇଛନ୍ତି । ଏହି ତଥ୍ୟ ଉପରେ ଜିଲ୍ଲା କୋର୍ଟ ପୁଣି ଥରେ ତଦନ୍ତ କରିବା ପାଇଁ ଗଜପତି ଏସ.ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ଗଜପତି ଏସ.ପି ତପନ କୁମାର ପଟ୍ଟନାୟକ ତତ୍କାଳୀନ ଅତିରିକ୍ତ ଏସ.ପି ତଥା ବର୍ତ୍ତମାନର ସୋନପୁର ଏସ.ପି ସୀତାରାମ ଶତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଏସ.ପି ଅଡବା ଥାନାକୁ ଆସି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମ୍ନାକୁ ଆସିଥିଲା । ୧୭ ଟନ୍‌ ୮୧୪ କେଜି ଚୋପା ଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା ତେବେ କୋର୍ଟକୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିଲା ବୋଲି ମିଥ୍ୟା ତଥ୍ୟ ଦେଇଥିଲେ ଏସଆଇ ଆଲୋକ ଜଗଦଲା । ଜବତ ହୋଇଥିବା ୧୭ ଟନ ୮୧୪ କେଜି କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷ ଟଙ୍କାରୁ ଅଧିକ ହେବା କଥା । କିନ୍ତୁ ଚଞ୍ଚକତା କରି ଏହାକୁ ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଉଲ୍ଲେଖ କରାଯାଇଛି ।

ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ଦେଇଥିଲେ । ଏହା ପରେ ଅଡବା ଥାନା ଅଧିକାରୀ ତପନ କୁମାର ପତି, ବିଡିଓ ବଂଶୀଧର ଖୋସଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା , ଏସଆଇ ଆଲୋକ ରଞ୍ଜନ ଜଗଦଲା, କାଜୁ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶ ପଲାସାର କେ. ରବି କୁମାର ଓ ଟ୍ରକ ମାଲିକ ପଲାସାର ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା । ଏତଲା ଦେଇଥିଲେ ଏସଡିପିଓ ଦିଲୀପ କୁମାର ନାୟକ l ବିଡ଼ିଓ ପୂର୍ବରୁ ଓଡିଶା ହାଇକୋର୍ଟରୁ ଅନ୍ତରୀଣ ଜାମିନ ଆଣିଥିବା ବେଳେ ବର୍ତ୍ତମାନ ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ସମୟରେ ସେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ରହି କାମ କରିବେ ବୋଲି ନିର୍ଦ୍ଦେଶ ରହିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.