ପୁଅର ଜୀବନ ପାଇଁ ଏମିତି କଲେ ବାପା ମା’, ରାସ୍ତା ଉପରେ ୩୦ କିମି ଦଣ୍ଡ ଯାତ୍ରା କରି ଶ୍ରୀବଳଦେବଜୀଉଙ୍କୁ ଜଣାଇଲେ ଦୁଃଖ

କେନ୍ଦ୍ରାପଡା(କେନ୍ଯୁଜ୍): ସତରେ ବାପା-ମାଆ, ଏମିତି ଦୁଇ ବ୍ଯକ୍ତିତ୍ବ ଯାହାକୁ ଆମେ କାହା ସହ ବି ତୁଳନା କରିପାରିବା ନାହିଁ। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆଙ୍କ ସ୍ନହ ମମତା କେହି ବି କେବେ ଦେଇପାରିବେ ନାହିଁ। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି। ଏମିତି ଜଣେ ବାପା ମା, ଯିଏ ନିଜ ପିଲାର ଜୀବନ ପାଇଁ ଅହରହ କରିଚାଲିଛନ୍ତି ସଂଘର୍ଷ।
ପୁଅର ଜୀବନ ଭିକ୍ଷା କରି ପାଖାପାଖି ୩୦ କିଲୋମିଟର ଦଣ୍ଡ ମାରି ମାରି କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଛନ୍ତି ଜଣେ ବାପା ମା। ଏକୋଈ ବଳା ବିସିକେସନର ଜୀବନ ଭିକ୍ଷା କରିଛନ୍ତି ପ୍ରଭୁଙ୍କ ପାଖରେ। ଏ ଦମ୍ପତି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା କୁତରଙ୍ଗ ଗ୍ରାମର ନିରଞ୍ଜନ ସାହୁ ଓ ବବିତା ସାହୁ। ଏମାନଙ୍କର ୨୨ ବର୍ଷର ପୁଅ ଶୁଭମ ସାହୁ। ଯିଏକି କିଡନୀ ରୋଗରେ ପୀଡିତ। ଦୁଇଟି ଯାକ କିଡନୀ ଖରାପ।
ବାପା ନିରଞ୍ଜନ ସାହୁ ଜଣେ ସିକୁରିଟ ଗାର୍ଡ। ପରିବାରକୁ ଭଲରେ ଖାଇବାକୁ ଦେଇ ଚଳାଇବା ତାଙ୍କ ପାଇଁ କଷ୍ଟକର । ତଥାପି ପୁଅକୁ ଭଲ କରିବା ପାଈଁ ବହୁ ଅର୍ଥ ଧାର କରଜ କରି ଆଣି ସାରିଲେଣି। ଏବେ କିଡନୀ ମିଳୁନି, ଏପଟେ ଡାକ୍ତର କହିଛନ୍ତି ୨୦ ଲକ୍ଷରୁ ଅଧିକ ଟଙ୍କା ଦରକାର। ତେବେ ସବୁଠି ନିରାଶ ହେବା ପରେ ଏବେ ଏଇ ଅସହାୟ ବାପା ମା ବଳଦେବଜୀଉଙ୍କ ସରଣ ପଶିଛନ୍ତି। ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, କାନି ପାତି ବଡ ଠାକୁର ଶ୍ରୀ ବଳଦେବଜୀଉଙ୍କୁ ନିଜ ଦୁଃଖ ଜଣାଇଛନ୍ତି।
ଏପଟେ ପୁଅ ଶୁଭମ ଡିପ୍ଲୋମା କରୁଛନ୍ତି। ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଦଇବ ସାହା ହେଉନାହିଁ। ହଠାତ ଦୁଇଟି କିଡନୀ ଖରାପ ହେବାପରେ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି ତାଙ୍କର । ଔଷଧ ଖାଇବାକୁ ପଇସାଟିଏ ନାହିଁ। ଏବେ କେମିତି ଭବିଷ୍ଯତକୁ ଆଗକୁ ବଢିବେ ସେହି ଚିନ୍ତାରେ ସେ ।
ପୁଅକୁ ଭଲ କରିବା ପାଈଁ ବାପା ମାଙ୍କ ଏହି ସଂଘର୍ଷ ସତରେ ହ୍ରୁଦୟ ବିଦାରକ। ଯଦି ସରକାରୀ କିମ୍ବା ବେସକାରୀ ସଂଗଠନ ପକ୍ଷରୁ ବା କେହି ସହ୍ରୁଦୟ ବ୍ଯକ୍ତି ଶୁଭମକୁ ସହାୟତାର ହାତ ବଢାନ୍ତେ, ତେବେ ନିହାତୀ ଶୁଭମ ଆଉ ଏକ ନୂଆ ଜୀବନ ପାଇବା ସହିତ ନିଜର ଇଞ୍ଜିନିୟର ହେବାର ସ୍ବପ୍ନକୁ ପୂରଣ କରିପାରନ୍ତେ।