ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବ ଗୁରୁପ୍ରିୟା ସେତୁ : ଉଦଘାଟନ ପୂର୍ବରୁ ଶ୍ରେୟକୁ ନେଇ ପଲିଟିକ୍ସ

ମାଲକାନଗିରି  : ୧୯୮୬ରୁ ୨୦୧୮ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଲାଗିଲା ୩୨ବର୍ଷ । କାମ ଆରମ୍ଭଠୁ ଶେଷ ଯାଏଁ ମାଓବାଦୀଙ୍କ ଭୟରେ ବହୁ ଠିକା ସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା କୋଲକାତାର ଏକ ସଂସ୍ଥା କାମ ଶେଷ କରିଛି । ୨୦ରୁ ୩୫ ମିଟର ଗଭୀର ପାଣିରେ ଠିଆ ହୋଇଛି ଗୁରୁପ୍ରିୟା ସେତୁ । ତେବେ ସେତୁ ଉଦ୍‌ଘାଟନ ନହେଉଣୁ ଏହାର ଶ୍ରେୟ ନେବା ପାଇଁ ରାଜନୀତି ଆରମ୍ଭ ହୋଇଛି । ବିଜେଡି କହିଛି, ୧୮ ବର୍ଷ ଶାସନରେ ଏହା ଏକ ଡ୍ରିମ୍‌ ପ୍ରୋଜେକ୍ଟ । ଏହାର ଶ୍ରେୟ ପାଇଁ ଦଳ ହକ୍‌ଦାର ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ସେପଟେ ବିଜେଡି ସରକାରକୁ ଶ୍ରେୟ ଦେବା ପାଇଁ ବିରୋଧୀ ପ୍ରସ୍ତୁତ ନୁହନ୍ତି । କଂଗ୍ରେସ କହିଛି, ଗୁରୁପ୍ରିୟା ସେତୁ ୟୁପିଏ ସରକାରଙ୍କ ପରିକଳ୍ପନା । ଏଥିସହ ଗୁରୁପ୍ରିୟା ସେତୁ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିବ ବୋଲି କହିଛି । ସେହିପରି ବିଜେପିର ଦାବି, ଏହି ସେତୁ ପାଇଁ ଏନ୍‌ଡିଏ ସରକାରଙ୍କ ପ୍ରମୁଖ ଭୂମିକା ରହିଛି ।

ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିବେ । ଏହାଦ୍ୱାରା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋବା ସହ ନକ୍ସଲ ଦମନ ପାଇଁ ସୁରକ୍ଷାକର୍ମୀଙ୍କ ଚଳପ୍ରଚଳ ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.