ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଉମରକୋଟ (କେନ୍ୟୁଜ): ଗାଁକୁ ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ଗ୍ରାମ ଦୁଇମହାଲ ସାହିରେ।

ସୂଚନା ଅନୁଯାୟୀ, ଦୁଇମହାଲ ସାହିର ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରା ପ୍ରସବ ବେଦନା ଅନୁଭବ କରିବାରୁ ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ସକାଳେ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ। ଉଷାବତୀ ତୁରନ୍ତ ପହଞ୍ଚି ନଳିନୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍‌ସ ଦୁଇମହାଲ ସାହି ଅଭିମୁଖେ ବାହାରିଥିଲା।

କିନ୍ତୁ ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବା ବେଳେ ବର୍ଷା ଯୋଗୁ ଏହି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା। ପରେ ଆମ୍ବୁଲାନ୍‌ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ। ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ। ପରେ ଉଷାବତୀଙ୍କୁ ଖଟିଆରେ ବୋହି ନଦୀ ପାର କରାଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ। ଶେଷରେ ଉଷାବତୀଙ୍କୁ ଆମ୍ବୁଲାନ୍‌ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.