ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ପ୍ରସ୍ତୁତ କଲେ ପୁରୀ ଶିଳ୍ପୀ ନୀଳମଣି ଜେନା, ଅଯୋଧ୍ୟାରେ ପାଇବ ସ୍ଥାନ

ପଟ୍ଟଚିତ୍ର ଶିଳ୍ପୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରକୁ ନେଇ ଏକ ବିରାଟ ତଥା ମନଲୋଭା ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି । ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନୀ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିଛି । ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପଟ୍ଟଚିତ୍ର ଅଯୋଧ୍ୟାରେ ସ୍ଥାନ ପାଇବ । ଏହା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବଜାୟ ରଖିବା ସହ ଓଡିଶାକୁ ଗୌରବାନ୍ୱିତ କରିବ ।

ଆସନ୍ତା କାଲି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମଗ୍ର ଦେଶ ଉତ୍ସବ ମୁଖର । ଏହାକୁ ନେଇ କାହିଁ କେତେ ଆୟୋଜନ । ଯେଉଁ ମାନେ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବକୁ ଯାଇ ପାରୁନାହାନ୍ତି ସେମାନେ ଭକ୍ତି ଅର୍ଘ୍ୟ ମାଧ୍ୟମରେ ନିଜ ଭାବନା ବ୍ୟକ୍ତ କରୁଛନ୍ତି । ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ପୁରୀର ଶିଳ୍ପୀ । ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ଜେନା ଏକ ବିରାଟ ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି । ଆଜି ଏହା ଅଯୋଧ୍ୟା ଅଭିମୁଖେ ଯିବ ।

୨୦୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଭାରତର ଦୁଇ ଜଣ ରାଷ୍ଟ୍ରପତିଙ୍କୁ ଭେଟି ପଟ୍ଟଚିତ୍ର ଉପହାର ଦେଇଥିବା ପଟ୍ଟଚିତ୍ର ଶିଳ୍ପୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରକୁ ନେଇ ଏକ ବିରାଟ ତଥା ମନଲୋଭା ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି । ଗତ ଡିସେମ୍ବର ୨୫ ତାରିଖ ଠାରୁ ସେ ଏହି ପଟ୍ଟଚିତ୍ର ତିଆରି କରିବା ଆରମ୍ଭ କରିଥିଲେ । ଆଉ ଏହା ଗତକାଲି ସମ୍ପୂର୍ଣ ହୋଇଛି । ନିଜ ୫ ଜଣ ଶିକ୍ଷାର୍ଥୀଙ୍କ ସହ ସେ ଏହି ସୁନ୍ଦର ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି । ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନୀ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିଛି । ୮ ଫୁଟ ୮ ଇଞ୍ଚ ଦୈର୍ଘ୍ୟ ଓ ୪୦ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏହି ପଟ୍ଟଚିତ୍ରଟି ଅତି ନିଖୁଣ ଭାବେ ତିଆରି ହୋଇଛି ।

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଆରମ୍ଭ କରି ବନବାସ, ରାବଣ ସହ ଯୁଦ୍ଧ, ରାମାଭିଷେକ ପର୍ଯ୍ୟନ୍ତ ପ୍ରତ୍ୟେକଟି ଲୀଳା ଏହି ପଟ୍ଟଚିତ୍ରରେ ରହିଛି । ପ୍ରାକୃତିକ ତଥା ଦେଶୀୟ ରଙ୍ଗ ଯଥା ଶଙ୍ଖ, ହିଙ୍ଗୁଳ, ହରିତାଳ, ଗେରୁ, ଢାଉ ସହ ଫାବ୍ରିକ୍ ଓ ପ୍ଲାଷ୍ଟିକ ପେଣ୍ଟ ରଙ୍ଗ ଏଥିରେ ବ୍ୟବହାର କରାଯାଇଛି । କେବଳ ଶ୍ରୀରାମଙ୍କ ଆଦର୍ଶ କି ଜୀବନୀ ନୁହେଁ ବରଂ ଭବ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ଦଶାବତାର ଚିତ୍ର, ରାମ ଲୀଳାର ସମ୍ପୂର୍ଣ୍ଣ କଥା ଏଥିରେ ସ୍ଥାନ ପାଇଛି ।

ଆଇଟିଡିସି ଅଧ୍ୟକ୍ଷ ଡ଼ଃ ସମ୍ବିତ ପାତ୍ରଙ୍କ ଯୋଗୁଁ ଶିଳ୍ପୀ ନୀଳମଣି ଜେନାଙ୍କ ଦ୍ଵାରା ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପଟ୍ଟଚିତ୍ର ଅଯୋଧ୍ୟାରେ ସ୍ଥାନ ପାଇବ । ଯିଏ ବି ଏହି ପଟ୍ଟଚିତ୍ର କଳା ଦେଖିବ ତା ଆଖି ଲାଖି ରହିଯିବା ସହ ପୁରାଣ ତଥା ପ୍ରଭୁ ରାମଚନ୍ଦ୍ରଙ୍କ ସମ୍ପର୍କରେ ମଧ୍ୟ ଜାଣିପାରିବେ । ଏହା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବଜାୟ ରଖିବା ସହ ଓଡିଶାକୁ ଗୌରବାନ୍ୱିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.