Below header

ଯାଜପୁର: ଡଙ୍କାରୀ ଓ ରାହାଡପୁର ଅଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ

ଯାଜପୁର (କେନ୍ୟୁଜ୍‌): ବେଆଇନ ଲଘୁ ଖଣିଜ ସଂପଦ ଲୁଟ୍ କାରବାରରେ ରୋକ୍ ଲଗାଇବାକୁ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି । ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଓ ରାହାଡପୁର ଖାଦାନ ଅଂଚଳ ପରିଦର୍ଶନ କରି ଫେରିଯାଇଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ ।

ସଚିବ ପ୍ରଥମେ ଡଙ୍କାରୀର ବିଭିନ୍ନ କଳାପଥର ଖାଦାନ ଓ ପରେ ରାହାଡପୁର ଅଂଚଳ ପରିଦର୍ଶନ କରି ଏସବୁର ଯାଂଚ କରିଥିଲେ । ପୂର୍ବରୁ ସଂପୃକ୍ତ ଖାଦାନ ଅଂଚଳରେ ୧୪୪ଧାରା ଜାରି କରିଛି ପ୍ରଶାସନ । ଏହା ସତ୍ୱେ ମଧ୍ୟ ପଥର ମାଫିଆମାନେ ଏଠାରୁ ଖଣିଜ ସଂପଦ ଲୁଟ୍ କରୁଥିବା ଅଭିଯୋଗ ହୋଇଆସୁଛି । ଦିନକୁ ଦିନ ଚୋରା ଚାଲଣ କାରବାର ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନର ବାରମ୍ବାର ଚଢାଉ ସତ୍ୱେ ଏହା ବନ୍ଦ ହୋଇପାରୁନି ।

ସେଥିପାଇଁ ପ୍ରଶାସନ ପକ୍ଷରୁ ଏହି କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଖୁବ ଶୀଘ୍ର ଚୋରା କାରବାରରେ ରୋକ ଲଗାଇବା ସହ ଏହାକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସହ କୈାଣସିମତେ ବେଆଇନ କାରବାରକୁ ପ୍ରଶୟ ଦିଆଯିବନାହିଁ ବୋଲି ସଚିବ ସୂଚନା ଦେଇଛନ୍ତି ।

ଏହି ଗସ୍ତ ସମୟରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ବିଭିନ୍ନ ସର୍କଲର ରାଜସ୍ୱ ନିରୀକ୍ଷକ ପ୍ରମୁଖ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.