ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ହେବ ପହଣ୍ଡି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ କରୋନା କଟକଣା ପାଇଁ  ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ । ଶାନ୍ତିଶୃଙ୍ଖଳାର ସହ ନୀତି ସଂପନ୍ନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଆଜି ସଂଧ୍ୟାରୁ ୬ ତାରିଖ ସକାଳ ଯାଏ ବଡ଼ଦାଣ୍ଡର ମରିଚିକୋଟ ଛକରୁ କାକୁଡ଼ିଖାଇ ଛକ ଯାଏ ୧୪୪ ଧାରା ଜାରି କରାଯିବ । ଏହାସହ ଶ୍ରୀମନ୍ଦିର ଚାରିପାଖରେ ବି ୧୪୪ ଧାର ଜାରି କରାଯିବ । ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ହେବ । ରାତି ଗୋଟାଏରେ ମଙ୍ଗଳାର୍ପଣ ଆରମ୍ଭ ହେବ । ସାଢେ୪ଟାରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ଲାଗି, ସକାଳ ୫ଟାରେ ତଡ଼ପ ଲାଗି, ୬ଟାରେ ଅବକାଶ ନୀତି ହେବ । ୭ଟା୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନନୀତି ଅନୁଷ୍ଠିତ ହେବ । ଦିନ ସାଢେ ୧୦ଟାରେ ଛେରାପହଁରା ନୀତି ଓ ଦିନ ୧୧ଟାରୁ ୧୨ଟା ଶ୍ରୀଜିଉଙ୍କ ହାତୀବେଶ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ସାହାଣମେଳା ଦର୍ଶନ ବନ୍ଦ ରହୁଥିବାବେଳେ ବାହୁଡା ପହଣ୍ଡି ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ଶେଷ କରାଯିବ। ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରି ସ୍ନାନଯାତ୍ରା ପାଇଁ ପ୍ରସ୍ତୁତ ହେବେ। ସେହିପରି ଘୋଷଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଜୋରସୋରରେ ଲାଗିଛନ୍ତି ବିଶ୍ୱକର୍ମା ।

ଅନ୍ଯପଟେ ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ଗୋପାଳତୀର୍ଥ ମଠରେ ହାତୀବେଶ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସ୍ନାନମଣ୍ଡପରେ ଜଳଲାଗି ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ସଜ୍ଜିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.