Below header

ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା, ଭୁବନେଶ୍ୱର ବିନ୍ଦୁ ସାଗରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ବର: ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ଆ-କା-ମା-ବୈରେ କମ୍ପିବ ଭୁବନେଶ୍ୱର ବିନ୍ଦୁ ସାଗର ସମେତ ବିଭିନ୍ନ ପୁଷ୍କରିଣୀ ଓ ଜଳାଶୟ । ଡଙ୍ଗା ଭସାଇବାକୁ ଜମିବ ଶ୍ରଦ୍ଧାଳୁଙ୍କ ସମାଗମ । ଏହାକୁ ନଜରରେ ରଖି ବିନ୍ଦୁସାଗରରେ ସଫେଇ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତାକାଲି ଭୋର ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ଅବସରରେ ସ୍ୱତନ୍ତ୍ର ଭାବେ ଏକ ଡଙ୍ଗା ପ୍ରସ୍ତୁତ କରାଯାଇଛି। ଯାହା ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ତିଆରି କରାଯାଇଛି । ଏହି ଡଙ୍ଗାଟି ଦେଖିବାକୁ ଯେତିକି ବଡ ସେତିକି ଆକର୍ଷଣୀୟ। ଯାହାକୁ ପୁରୁଣା ଭୁବନେଶ୍ବର ନିବାସୀ ହୃଷିକେଶ ବେହେରା ନିର୍ମାଣ କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ଏହି ସ୍ବତନ୍ତ୍ର ଡଙ୍ଗା ତିଆରି କରିବାର ଦାୟିତ୍ବ ହୃଷିକେଶଙ୍କୁ ହସ୍ତାନ୍ତର କରାଯାଇଛି ।

hrushikeshହୃଷିକେଶ ପେଶାରେ ଜଣେ ମୂର୍ତ୍ତୀ କାରିଗର ହୋଇଥିଲେ ମଧ୍ୟ ସେ ଏହି ଡଙ୍ଗା ତିଆରି କରିବାର କୌଶଳ ଦୀର୍ଘ ୧୬ ବର୍ଷ ହେବ କରିଆସୁଛନ୍ତି । ଏହି ସ୍ବତନ୍ତ୍ର ଡଙ୍ଗାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୮ଦିନ ସମୟ ଲାଗିଥାଏ । ଏହି ଡଙ୍ଗାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଇଥାଏ । ସୋଲ,ବାଉଁଶ,ରଙ୍ଗ,କଣ୍ଟା,କାଗଜ,ଝୁଡି,ପାଲ ଆଦିରେ ଅତି ନିଖୁଣ କାରୁକାର୍ଯ୍ୟ କରି ସେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଧୁସାଗରର ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ।

ଏହି ସ୍ବତନ୍ତ୍ର ଡଙ୍ଗା ପାଇଁ ତାଙ୍କୁ ପାଖାପାଖି ୧୫୦୦ଟଙ୍କାର ସୋଲ ଆବଶ୍ୟକତା ପଡିଥାଏ । ଷ୍ଟେଜ୍ ର ମାପ ଅନୁସାରେ ଡଙ୍ଗାର ମାପ ନିର୍ଦ୍ଧାରଣ କରାଯାଇଥାଏ । ବିନ୍ଦୁସାଗରରେ ପ୍ରତିବର୍ଷ ଏହି ସ୍ବତନ୍ତ୍ର ଡଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏନେଇ ହୃଷିକେଶଙ୍କୁ ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ଏକାମ୍ର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ଅନ୍ୟପଟେ ବିଭିନ୍ନ ଡଙ୍ଗା ଦୋକାନରେ ବି ଭିନ୍ନ ଭିନ୍ନ ପ୍ରକାରର ଡଙ୍ଗା ବିକ୍ରି ହେଉଛି । କିନ୍ତୁ କଦଳୀ ପଟୁଆର ଡଙ୍ଗାର ରହିଛି ଅନେକ ମହତ୍ତ୍ବ। ତେବେ କାର୍ତ୍ତିକ ପୂର୍ଣ୍ଣିମାର ଏହି ବିଶେଷ ମୂହୁର୍ତ୍ତକୁ ଓଡ଼ିଆମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.