ଆଜିଠୁ ଚାଲିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ, ଦିଲ୍ଲୀରେ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କେନ୍ୟୁଜ୍(ବ୍ୟୁରୋ): ଆଜି ଦିଲ୍ଲୀରୁ ଛାଡ଼ିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ । ଏହି ସ୍ୱତନ୍ତ୍ର ଟ୍ରେନ ୮ଦିନିଆ ଯାତ୍ରାରେ ବାହାରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କୋଚ୍ ସହ ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ରହିବେ । ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ, ଗୟା ସମେତ ବିଭିନ୍ନ ସ୍ଥାନ ଏହି ଯାତ୍ରାରେ ସାମିଲ ହେବ । ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଓ୍ଵା, ଏଟାଓ୍ଵା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ ଧରିପାରିବେ କିମ୍ବା ଓହ୍ଲାଇପାରିବେ ।
ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ସହ ପ୍ୟାଣ୍ଟ୍ରି କାର୍ ମଧ୍ୟ ରହିଛି । ଯାହା ପର୍ଯ୍ୟଟକଙ୍କୁ ଶାକାହାରୀ ଖାଦ୍ୟ ଯୋଗାଇବ । ଯାତ୍ରା ସମୟରେ ମନୋରଞ୍ଜନ ବ୍ୟବସ୍ଥା ସହ ସିସିଟିଭି, ସିକ୍ୟୁରିଟି ଗାର୍ଡ ବ୍ୟବସ୍ଥା ରହିଛି। ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଯାତ୍ରା କରୁଥିବା ପର୍ଯ୍ୟଟକ ଭାରତର ୪ ଧାମ ବୁଲିବେ । ୮ଦିନ ଯାତ୍ରା ଶେଷ କରି ଟ୍ରେନ ଫେବ୍ରୁଆରୀ ୧ରେ ଦିଲ୍ଲୀରେ ପହଂଚିବ ।