ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ
ନିଜ ଝିଅ ବୟସର ଛାତ୍ରୀଙ୍କ ଆଡକୁ ପକାଇଲେ ଆଖି । ଆଉ ଖାଲି କଣ ଆଖି ପକାଇଲେ ଏକୁଟିଆ ପାଇ ତାଙ୍କ ସହ ଅସାଦାଚରଣ ମଧ୍ୟ କରିବାକୁ ଚେଷ୍ଟା କଲେ ।

ରେଢ଼ାଖୋଲ (କେନ୍ୟୁଜ) : ଅଧ୍ୟାପକଙ୍କ ମୁଣ୍ଡରେ ଜୁଟିଲା ପାପ । ନିଜ ଝିଅ ବୟସର ଛାତ୍ରୀଙ୍କ ଆଡକୁ ପକାଇଲେ ଆଖି । ଆଉ ଖାଲି କଣ ଆଖି ପକାଇଲେ ଏକୁଟିଆ ପାଇ ତାଙ୍କ ସହ ଅସାଦାଚରଣ ମଧ୍ୟ କରିବାକୁ ଚେଷ୍ଟା କଲେ । ସେଥିପାଇଁ ତ ବାହାନା ବାହାର କରୁଥିଲେ କେମିତି ଛାତ୍ରୀଙ୍କୁ ଏକୁଟିଆ ପାଇବେ । ଆଉ ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଅଧ୍ୟାପକଙ୍କ ନାଁରେ । ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଅସଦାଚରଣ କରିବା ନେଇ ସୋମବାର ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଧ୍ୟାପକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ତେବେ ପୀଡ଼ିତା ଛାତ୍ରୀ ଜଣଙ୍କ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଗତ ଡିସେମ୍ବର ୨୩ ତାରିଖରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଥିଲା । ୨୪ ତାରିଖରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଲାବରୋଟାରୀର ଜିନିଷ ପତ୍ର ସଜାଡ଼ିବା ସହ କୋଠରୀ ସଫା କରିବା ପାଇଁ ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ସହ ତାଙ୍କୁ ମଧ୍ୟ ପଠାଇଥିଲେ।
ତେବେ ଅନ୍ୟ ଦୁଇ ଜଣ ଛାତ୍ରୀ ଅଳିଆ ପକାଇବାକୁ ବାହାରକୁ ଚାଲିଗଲା ପରେ ଅଧ୍ୟାପକ ଜଣକ ସେଠାରେ ପହଞ୍ଚି ଯାଇଥିଲେ ଏବଂ ଉକ୍ତ ଛାତ୍ରୀ ଜଣଙ୍କ ସହ ଅସଦାଚରଣ କରିଥିଲେ। ଏଥିରେ ଭୟଭୀତ ହୋଇ ଛାତ୍ରୀ ଜଣକ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ଭୟରେ ଛାତ୍ରୀ ଜଣକ କାହାରିକୁ ଜଣାଇନଥିଲେ । କିନ୍ତୁ ଗତ ୨ ତାରିଖରେ ଛାତ୍ରୀ ଜଣଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ମଧ୍ୟ ଅଧ୍ୟକ୍ଷ ମହୋଦୟ ଏହାର ବିଚାର କରିବା ପରିବର୍ତ୍ତେ ବୁଝାମଣା କରିବାକୁ ବାଧ୍ୟ କରିଥିଲେ ବୋଲି ଛାତ୍ରୀ ଜଣଙ୍କ ତାଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ତେବେ ଅଭିଯୋଗ ପାଇବା ପରେ ନାକଟିଦେଉଳ ପୁଲିସ ସୋମବାର ସନ୍ଧ୍ୟାରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତେବେ ପୋଲିସ ସୂଚନା ମୁତାବକ ଅଧ୍ୟାପକଙ୍କ ନାଁରେ ବିଭିନ୍ନ ଧାରା ଲାଗି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଶୁଣନ୍ତୁ କଣ କହୁଛନ୍ତି ପୋଲିସ୍ ।