ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି ଆପଣ ରାସ୍ତାରେ ଗାଡ଼ି ରଖି ଜିନିଷ କିଣିବାକୁ ଦୋକାନ ଯାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ବଜାରରେ ବୁଲୁଛନ୍ତି ବାଇକ୍‌ ଲୁଟେରା । ଲୁଟେରାମାନେ ବଜାରର ଗଳି କନ୍ଦିରେ ଛକି ବସୁଛନ୍ତି । ଆଉ ଆପଣଙ୍କ ଧ୍ୟାନ ଟିକେ ଏପଟ ସେପଟ ହେଲେ ବାଇକ୍‌ ନେଇ ଛୁ ମାରୁଛନ୍ତି । ବାଇକ୍‌ ଚୋରି କରିବା ପାଇଁ ନକଲି ଚାବି ବ୍ୟବହାର କରୁଛନ୍ତି ଲୁଟେରା । କିନ୍ତୁ ଲୁଟେରାଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୋଲିସ ।

ଝାରସୁଗୁଡ଼ା ପୋଲିସକୁ ମିଳିଛି ବଡ ସଫଳତା। ପୋଲିସ ହାତରେ ଧରା ପଡ଼ିଛନ୍ତି ବାଇକ ଲୁଟେରାଙ୍କ ଏକ ଗ୍ୟାଙ୍ଗ। ଲୁଟେରାଙ୍କ ଠାରୁ ୫ ଟି ବାଇକ ଜବତ କରିବା ସହ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ । ଗତ ମାସରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ବାଇକ ଚୋରିନେଇ ଅଭିଯୋଗ ହୋଇଥିଲା । ଏଭଳି ବାରମ୍ବାର ଅଭିଯୋଗ ଆସିବା ପରେ ପୋଲିସ ଚିନ୍ତାରେ ପଡ଼ିଥିଲା ଏବଂ ଆରମ୍ଭ କରିଥିଲା ତଦନ୍ତ ।

ତେବେ ତଦନ୍ତ ପରେ ଝାରସୁଗୁଡ଼ା ପୋଲିସ ପ୍ରଥମେ ଜଣେ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା । ଲୁଟେରାକୁ ଦୀର୍ଘ ସମୟ ଧରି ପଚରା ଉଚରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜଣା ପଡ଼ିଥିଲା । ପରେ ପୋଲିସ ଅନ୍ୟ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଏ ଲୁଟେରାମାନେ ଧରାପଡ଼ିଥିଲେ ସୁଦ୍ଧା କିଛି ଲୁଟେରା ଏବେ ବିି ବଜାରରେ ସକ୍ରିୟ ଥିବା ଅନୁମାନ କରାଯାଉଛି । ପୋଲିସ ଏହି ମାମଲାର ତଦନ୍ତ କରୁଛି ।

ଏଭଳି ବାଇକ୍‌ ଚୋରି ର ମାମଲା ପ୍ରତ୍ୟେକ ଦିନ ସାମ୍ନାକୁ ଆସିଛି । କେବଳ ଯେ ବାଇକ୍‌ ଲୁଟ ହେଉଛି ତାହା ନୁହେଁ । ଆପଣ ପିନ୍ଧୁଥିବା ସୁନା ଗହଣା ଉପରେ ବି ଚୋରଙ୍କ ଲୋଲୁପ ନଜର ରହୁଛି । ତେଣୁ ବଜାରକୁ ବାହାରୁଥିବା ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ । ପିନ୍ଧିଥିବା ସୁନା ଗହଣାକୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତୁ । ବାଇକକୁ ଦୋକାନ ବାହାରେ ରଖୁଥିଲେ ହ୍ୟାଣ୍ଡେଲ୍‌ ଲକ୍‌ କରିବାକୁ ଭୁଲନ୍ତୁ ନାହିଁ । ଏଭଳି କରି ଆପଣ ନିଜ ଜିନିଷକୁ ସୁରକ୍ଷିତ ରଖିପାରିବେ ।

 

Leave A Reply

Your email address will not be published.