ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗତ ରାତି ୯ ଟା ସମୟରେ ରମାକାନ୍ତ ଶୌଚହେବାକୁ ଯାଉଛି କହି ଘରୁ ବାହାରକୁ ଆସିଥିଲେ । ଦୀର୍ଘ ସମୟ ହୋଇଯାଇଥିଲେ ମଧ୍ୟ ସେ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ବୃଦ୍ଧଙ୍କର କୌଣସି ଖବର ପାଇନଥିଲେ । ଆଜି ସକାଳୁ ଚାଷ ଜମିରେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ଚିରା ଶଙ୍ଖ ନିକଟ ଏକ ଚାଷ ଜମିରୁ ଠାବ ହୋଇଥିଲା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ । ମୃତ ବ୍ୟକ୍ତି ହେଉଛନ୍ତି ଦେଓଗାଁ ଗାଁର ରମାକାନ୍ତ ପ୍ରଧାନ । ତାଙ୍କୁ ହତ୍ୟାକରି ଚାଷ ଜମିରେ ଫିଙ୍ଗି ଦିଆଯାଇଥିବା ଭଳି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଖବରପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ ମୃତକଙ୍କ ପୁତୁରାଙ୍କ ଅଭିଯୋଗ ଆଧାରରେ ମୃତଦେହ ଜବତ କରି ତଦନ୍ତ କରାଯାଉଛି ।

ସୂଚନା ମୁତାବକ ଗତ ରାତି ୯ ଟା ସମୟରେ ରମାକାନ୍ତ ଶୌଚହେବାକୁ ଯାଉଛି କହି ଘରୁ ବାହାରକୁ ଆସିଥିଲେ । ଦୀର୍ଘ ସମୟ ହୋଇଯାଇଥିଲେ ମଧ୍ୟ ସେ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ବୃଦ୍ଧଙ୍କର କୌଣସି ଖବର ପାଇନଥିଲେ । ଆଜି ସକାଳୁ ଚାଷ ଜମିରେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ତେବେ ରମାକାନ୍ତଙ୍କ ମୃତଦେହ ଯେଉଁଠାରୁ ଉଦ୍ଧାର ହୋଇଥିଲା ସେହି ସ୍ଥାନ ପାଖରେ ଲକ୍ଷ୍ମୀ ସ୍ୱାଇଁଙ୍କ ଘର । ଲକ୍ଷ୍ମୀଙ୍କ ସ୍ୱାମୀ ସହ ପୂର୍ବରୁ ରମାକାନ୍ତଙ୍କର କୌଣସି କାରଣକୁ ନେଇ ଶତ୍ରୁତା ରହିଥିଲା । ତେଣୁ ଲକ୍ଷ୍ମୀଙ୍କ ସ୍ୱାମୀ ରମାକାନ୍ତ ଙ୍କୁ ହତ୍ୟାକରି ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ଅନ୍ୟପଟେ ଏହି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଲକ୍ଷ୍ମୀ ସ୍ୱାଇଁ । ଏଭଳି ହତ୍ୟା କାଣ୍ଡ ବିଷୟରେ ଲକ୍ଷ୍ମୀ ସ୍ୱାଇଁ କିଛି ଜାଣିନଥିବା କହିଥିବା ବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହା ହତ୍ୟା ନା ଆକସ୍ମିକ ମୃତ୍ୟୁ ତାହା ସ୍ପଷ୍ଟ ହୋଇ ନାହିଁ । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ରମାକାନ୍ତଙ୍କ ଘର ଆଗରେ ପ୍ରବଳ ଭିଡ଼ ଜମିଛି । ତେବେ ଦେଖାଯାଉ ତଦନ୍ତ କେଉଁ ମୋଡ଼ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.