ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ୍

କେନ୍ୟୁଜ୍ (ବ୍ୟୁରୋ): ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ୍‌। ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ  ଆଗକୁ ଆଗକୁ ବଢୁଛି ।  ସୁପର ସାଇକ୍ଲୋନରୁ ଏକ୍ସଟ୍ରିମଲୀ ସିଭିୟର ସାଇକ୍ଲୋନିକ ଷ୍କର୍ମର ରୂପ ନେଇସରିଛି ଏହି ସାମୁଦ୍ରୀକ ଝଡ ଅମ୍ଫନ । ଏବେ ପାରାଦୀପଠାରୁ ୪୨୦ କିଲୋମିଟର ଦକ୍ଷିଣ, ଦୀଘାଠାରୁ ୫୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ବାଂଲାଦେଶ ଖେପୁପଡ଼ାଠାରୁ ୭୦୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଆସନ୍ତାକାଲି ମଧ୍ୟାହ୍ନ ଭିତରେ ଅମ୍ଫନ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ରହିଛି ।

ଏହା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ସୁନ୍ଦରବନ ନିକଟରେ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି । ଯେତେବେଳେ ଏହି  ଅମ୍ଫାନ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୫୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବ । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଏହାର ପ୍ରଭାବର ଉପକୂଳର ଚାରି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବଢିବ ବୋଲି ଜଣାପଡିଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବି ଅମ୍ଫନର ପ୍ରଭାବ ଦେଖିବାକୁ ମିଳିପାରେ । ଏହାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ଆରମ୍ଭ ହୋଇଛି ନିରାପଦ ସ୍ଥାନାନ୍ତର ପ୍ରକ୍ରିୟା । ଗଜପତି, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁରରେ ଆରମ୍ଭ ହୋଇଛି ସ୍ଥାନାନ୍ତରଣ । ଲୋକଙ୍କୁ ନିରାପଦ ସ୍ଥାନକୁ ନେଉଛି ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.