ଦୁର୍ଲଭ ଚନ୍ଦନ ବନର ମହକରେ ଆତ୍ମବିଭୋର ପର୍ଯ୍ୟଟକ, କିନ୍ତୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଉନି ଏ ପାହାଡ଼

ପ୍ରାକୃତିକ ପରିବେଶରେ ଭରପୁର ବୋଲଗଡ଼ ବ୍ଲକର ଝିଙ୍କିମିଙ୍କି । ଐତିହାସିକ କିମ୍ବଦନ୍ତୀ ସହିତ ପୌରାଣିକ କୀର୍ତ୍ତି ବହନ କରୁଛି ଏହି ପୀଠ । ୧୨୦୦ ଫୁଟ ଉପରେ ରହିଛି ପୋଖରୀ ସହିତ ଏକର ଏକର ଚାଷଜମି ।

ବେଗୁନିଆ (କେନ୍ୟୁଜ): ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନରେ ରହିଥାଏ ତ କିଛି ପର୍ଯ୍ୟଟନସ୍ଥଳୀ ବିଷୟରେ ଲୋକଙ୍କ ଜଣାନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପର୍ଯ୍ୟଟନସ୍ଥଳୀ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଜାଣିବା ପରେ ଆପଣ ବି ଏଠାକୁ ଯିବାକୁ ନିଜକୁ ଅଟକାଇ ପାରିବେନି । ପ୍ରାକୃତିକ ପରିବେଶରେ ଭରପୁର ବୋଲଗଡ଼ ବ୍ଲକର ଝିଙ୍କିମିଙ୍କି । ଐତିହାସିକ କିମ୍ବଦନ୍ତୀ ସହିତ ପୌରାଣିକ କୀର୍ତ୍ତି ବହନ କରୁଛି ଏହି ପୀଠ । ୧୨୦୦ ଫୁଟ ଉପରେ ରହିଛି ପୋଖରୀ ସହିତ ଏକର ଏକର ଚାଷଜମି । ପୁଣି ଦୁର୍ଲଭ ଚନ୍ଦନ ବନର ମହକ ପର୍ଯ୍ୟଟକଙ୍କୁ ଦେଇଥାଏ ନୂଆ ଏକ ଅନୁଭବ । ଏପରି ଏକ ନିଆରା ସ୍ଥାନକୁ ଯିବା ପାଇଁ କାହାର ବା ଇଚ୍ଛା ନହେବ । ତେବେ ଆସନ୍ତୁ ଏହି ସ୍ଥାନ ବିଷୟରେ କିଛି ବିଶେଷ ଜାଣିବା ।

ଖୋର୍ଦ୍ଧା ନୟାଗଡ଼ ମୁଖ୍ୟ ରାସ୍ତାର ବୋଲଗଡ ଦିଘିରି ଛକଠାରୁ ଦୁଇ କିଲୋମିଟର ଗାଁ ରାସ୍ତାରେ ଗଲେ ଫାସିଓଦା ପଞ୍ଚାୟତର ଝିଙ୍କିମିଙ୍କି ପାହାଡ଼ ପଡିଥାଏ । ପାହାଡ଼ର ମନୋରମ ପରିବେଶରେ ପର୍ଯ୍ୟଟକମାନେ ନିଜକୁ ହଜାଇ ଦିଅନ୍ତି । ଥଣ୍ଡା ପବନ ପର୍ଯ୍ୟଟକଙ୍କ ଥକା ଦୂର କରେ । ଏଠାରେ ତ୍ରେତୟା ଯୁଗର ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ମିଳେ । ଏଠାରେ ସୀତା ଟାପୁ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆରାଧ୍ୟ ଦେବୀ ମାଆ ଚଣ୍ଡୀ ଠାକୁରାଣୀଙ୍କ ଦର୍ଶନ ମିଳେ । ଜଣେ ୧୧୦ ବର୍ଷର ସାଧୁବାବା ଏଠାରେ ବେଶ୍ ପ୍ରସିିଦ୍ଧ । ବାରମାସରେ ତେର ପର୍ବ ପରି ଏଠାରେ ଅନେକ ସମୟରେ ବହୁ ପର୍ବ ପର୍ବାଣୀ ଅନୁଷ୍ଠିତ କରା ଯାଉଥିବା ବେଳେ ଆଖପାଖ ତିନୋଟି ପଞ୍ଚାୟତର ୨୭ଟି ଗ୍ରାମବାସୀ ଏଠାରେ ସହଯୋଗ ପ୍ରଦାନ କରିଥାନ୍ତି ।

ଏଠାରେ ପ୍ରାକୃତିକ ପରିବେଶ ସହିତ ମନ୍ଦିର ଏବଂ ଅନେକ ଐତିହାସିକ ତଥ୍ୟ ରହିଛି । ପାହାଡ଼ ଉପରେ ରହିଛି ଗୋଟିଏ ପୋଖରୀ ଯେଉଁ ପୋଖରୀରେ ଖରାଦିନେ ପାଣି ଶୁଖେନାହିଁ ଏବଂ ଏଠାରେ ବିଶାଳ ଚନ୍ଦନ ବନ ରହିଛି । ଚନ୍ଦନ ବନର ମହକରେ ଏଠାକାର ପରିବେଶ ମହକି ଉଠେ । ଖୋର୍ଦ୍ଧା ନୟାଗଡ ଜିଲ୍ଲାର ବିରାଟ ଜଙ୍ଗଲ ଜମି ଭିତରେ ଏହି ସ୍ଥାନଟିର ନିଜସ୍ୱ ଜାଗା ୫୨ ଏକର ରହିଛି । ଏଠାରେ ଫୁଲଚାଷ ସହିତ ବିଭିନ୍ନ ପନିପରିବା ଚାଷ ମଧ୍ୟ ହୋଇଥାଏ । ଐତିହାସିକ ଲୋକକଥା ଅନୁସାରେ ଖୋର୍ଦ୍ଧା ନୟାଗଡ ଏବଂ ଗଞ୍ଜାମ ତିନୋଟି ଜିଲ୍ଲାର ବୀର ପାଇକ ମାନେ ଇଂରେଜମାନଙ୍କ ବିରୋଧରେ ଏଠାରେ ଗୁପ୍ତ ବୈଠକ ସହିତ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷିତ ରହଣୀ ସ୍ଥଳ କରିଥିଲେ । ବହୁ ସାଧୁ ସନ୍ନ୍ୟାସୀଙ୍କ ସମାଧିସ୍ଥଳରେ ରହିଛି ଶହଶହ ବର୍ଷର ପୁରୁଣା ବିରାଟ ବରଗଛ ଯାହାକି ବହନ କରିଥାଏ ଅନେକ କୀର୍ତ୍ତିରାଜି । ତେବେ ବୋଲଗଡ ବ୍ଲକର ଏପରି ଏକ ସ୍ଥାନ ଆଜି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ।

ଏ ସୁନ୍ଦର ସ୍ଥାନଟିର ଯଦି ସୁରକ୍ଷା କରାଯାଇ ପାରନ୍ତା ତେବେ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରି ଆସୁଥିଲେ ହେଁ ଏହାକୁ ଏବେ ଯାଏଁ କୌଣସି ମାନ୍ୟତା ମିଳି ନାହିଁ । ତେବେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଲେ ନିଶ୍ଚିତ ଭାବେ ଏ ସ୍ଥାନକୁ ହଜାର ହଜାର ପର୍ଯ୍ୟଟକ ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.