ଆଜି ବିଶ୍ୱ ନାଟ୍ୟ ଦିବସ: ବଞ୍ଚି ରହିବାକୁ ମଞ୍ଚ ନାଟକର ସଂଘର୍ଷ

ମନୋରଞ୍ଜନର ମାଧ୍ୟମ ଯେତେ ବି’ ଆକର୍ଷଣୀୟ ହେଉନା କାହିଁକି, ଅନେକ ଦର୍ଶକ ମଞ୍ଚ-ନାଟକକୁ ଏଯାଏଁ ଭୁଲି ପାରିନାହାଁନ୍ତି । ଏହାର କଳାକାର ମାନେ ମଧ୍ୟ ଟିକେ ନିଆରା । ଅବଶ୍ୟ ଅତୀତ ଅପେକ୍ଷା ବର୍ତମାନ ସମୟରେ ସେଭଳି ମଞ୍ଚ ଅଭିନେତା ଅଭିନେତ୍ରୀ ଆଉ ନାହାଁନ୍ତି । ତା’ ବଦଳରେ ସୃଷ୍ଟି ହୋଇଛନ୍ତି ନୂଆ ପୀଢ଼ିର କଳାକାର ।

ଭଞ୍ଜନଗର (କେନ୍ୟୁଜ): ଗାଁ ଠୁ ସହର, ସହରରୁ ରାଜଧାନୀ । ମନୋରଞ୍ଜନ କଥା ଆଲୋଚନା ହେଲେ, ପ୍ରଥମେ ମନକୁ ଆସେ “ମଞ୍ଚ ନାଟକ”ର କଥା । ସେ “ଏକମୁଖୀ ରଙ୍ଗମଞ୍ଚ” ହେଉ କି’ “ଖୋଲା ରଙ୍ଗମଞ୍ଚ” । ଅବଶ୍ୟ ଆଜିର ଦିନରେ, ଏହି ମଞ୍ଚ ନାଟକର ତରିକା ବଦଳିଛି । ଆଧୁନିକରୁ ଅତ୍ୟାଧୁନିକ ହୋଇଛି । ସିନେମା, ଦୂରଦର୍ଶନ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଯେତେବି ମନୋରଞ୍ଜନ ହେଉ ସବୁ ସତ୍ୱେ ମଞ୍ଚ ନାଟକ ପ୍ରତି ଏବେବି ଅନେକଙ୍କର ନିଆରା ରୁଚି ରହିଛି । ଅନେକ ପ୍ରତିକୂଳ ପରିସ୍ଥିତିର ପାହାଚ ଡେଇଁ ତିଷ୍ଠି ରହିଛି ନାଟକ ଓ ନାଟ୍ୟ-ଅନୁଷ୍ଠାନ ।

ମନୋରଞ୍ଜନର ମାଧ୍ୟମ ଯେତେ ବି’ ଆକର୍ଷଣୀୟ ହେଉନା କାହିଁକି ଅନେକ ଦର୍ଶକ ମଞ୍ଚ-ନାଟକକୁ ଏଯାଏଁ ଭୁଲି ପାରିନାହାଁନ୍ତି । ଏହାର କଳାକାର ମାନେ ମଧ୍ୟ ଟିକେ ନିଆରା । ଅବଶ୍ୟ ଅତୀତ ଅପେକ୍ଷା ବର୍ତମାନ ସମୟରେ ସେଭଳି ମଞ୍ଚ ଅଭିନେତା ଅଭିନେତ୍ରୀ ଆଉ ନାହାଁନ୍ତି । ତା’ ବଦଳରେ ସୃଷ୍ଟି ହୋଇଛନ୍ତି ନୂଆ ପୀଢ଼ିର କଳାକାର । ସେହି ଅନୁସାରେ ଦର୍ଶକ ମଧ୍ୟ ରହିଛନ୍ତି । ଯାହାର ଉଦାହରଣ ଗଞ୍ଜାମ ଜିଲ୍ଲା । ଗାଁ ରୁ ସହର ସବୁଠି ମଞ୍ଚ ନାଟକର ବହୁଳ ପରିବେଷଣ ଏବେ ଦେଖିବାକୁ ମିଳେ । ଏକ୍ଷେତ୍ରରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟ ପଛରେ ନାହାନ୍ତି । “ବିଶ୍ୱ ନାଟ୍ୟ ଦିବସ” ଅବସରରେ ଅତୀତ ଓ ବର୍ତ୍ତମାନର ମଞ୍ଚ ନାଟକକୁ ନେଇ ଆମର ଏ ରିପୋର୍ଟ ।

ମଞ୍ଚ ନାଟକକୁ ବଞ୍ଚାଇ ରଖିବା ନୂଆ ନୂଆ କଳାକାର ସୃଷ୍ଟି ହେବା ଏବଂ ଦର୍ଶକଙ୍କୁ ମଞ୍ଚନାଟକ ପ୍ରତି ଆକୃଷ୍ଟ କରାଇ ରଖିବା ଏହା ନାଟ୍ୟ ପରମ୍ପରା ପାଇଁ ଗୌରବର କଥା । ବର୍ତମାନ ସମୟର ଅନେକ ଉଚ୍ଚ ଶିକ୍ଷିତ ପ୍ରତିଭାବାନ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଜଗତର କଳାକାର ମାନେ ମଞ୍ଚ-ନାଟକରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ମଞ୍ଚ ନାଟକ ପ୍ରତି, ଶୁଭ ସଂକେତ ନିଶ୍ଚୟ । ମଞ୍ଚନାଟକର ଧାରା ଆଗକୁ ଯେତିକି ବଢ଼ୁଛି, ସେହି ଅନୁସାରେ ଅନେକ କିଛି ହରେଇ ଦେଇଥିବା ଭଳି ମଧ୍ୟ ମନେହୁଏ ।

ନାଟକକୁ ନେଇ ଲାଭଖୋର ମନୋଭାବ ପୋଷଣ କରାଯାଉଛି । ଯାହା ଆଜିର ବୁଦ୍ଧିଜୀବୀ ଏବଂ ପ୍ରତିଷ୍ଠିତ କଳାକାର ମାନେ ମତ ରଖିଛନ୍ତି । ଆମ ସଂସ୍କୃତିର ସନ୍ତକ, ପୌରାଣିକ ବିଷୟ ବସ୍ତୁ ଉପରେ ଆଧାରିତ ନାଟକ ପ୍ରାୟତଃ ଆଉ ଦେଖିବାକୁ ମିଳୁନି । ଯାହାବି ପରିବେଶ ହେଉଛି ତାକୁ କିଛି ମାତ୍ରାରେ ବିକୃତ କରି ଦିଆଯାଉଛି । ସେହିଭଳି ସାମାଜିକ ନାଟକ ପ୍ରତି କଳାକାର ଏବଂ ଦର୍ଶକଙ୍କ ଆଗ୍ରହ ବଢ଼ିଛି ସତ କିନ୍ତୁ ନାଟକୀୟ ମୌଳିକତା ଆଉ ଦେଖିବାକୁ ମିଳୁନି । ଆଧୁନିକତା ନାଁ ରେ ନାଟକରେ ଅତ୍ୟାଧୁନିକ ଛାପ ଦେଖିବାକୁ ମିଳେ ।

ଦେହ ଢାଙ୍କି ହେଉନଥିବା ପୋଷାକରେ ନାଚିବାକୁ ରୁଚି ରଖୁଛନ୍ତି ଅନେକ ନୃତ୍ୟାଙ୍ଗନା । ନାଟକରେ ଅଭିନୟ ଅପେକ୍ଷା ନୃତ୍ୟ ସର୍ବସ୍ବ ହୋଇପଡିଛି ଏବେକାର ଖୋଲାମଞ୍ଚ ନାଟକ । ବର୍ତମାନ ସମୟରେ ମଞ୍ଚ ନାଟକ ବଞ୍ଚିରହିବା ଏବଂ ତାକୁ ବଞ୍ଚାଇ ରଖିବା ଏହା କୌଣସି ଛୋଟିଆ ପ୍ରୟାସ ନୁହେଁ । ତା’ ମାନେ ନୁହେଁ ଏହାକୁ ବିକୃତ କରି ଅବାନ୍ତର ଶୈଳୀରେ ପରିବେଷଣ କରିବା । ନାଟକୀୟ ମୌଳିକତା ଠାରୁ ଦୂରେଇ ଯିବା କେତେଦୂର ଯଥାର୍ଥ ତାହା ଆଜିର “ବିଶ୍ୱ ନାଟ୍ୟ ଦିବସ” ଅବସରରେ ଆମେ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.