ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା, ୪୦ ଟଙ୍କାରେ ବୁଲିପାରିବେ ୩୦ ମିନିଟ୍‌

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆଜି ଉଦଘାଟିତ ହେବ ଟୟ ଟ୍ରେନ । ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି ଅନେକ ଜୀବଜନ୍ତୁ ଦେଖିପାରିବେ ।

୪ଟି ବଗିରେ ୧୫ଜଣ କରି ବସିବାକୁ ଥିବାବେଳେ ଗୋଟିଏ ବଗିରେ ୨ଜଣ ଦିବ୍ୟାଙ୍ଗଙ୍କ ସହ ୧୦ଜଣ ବସିବାର କ୍ଷମତା ରହିଛି। ଏକାଥରକେ ୭୨ଜଣଙ୍କୁ ନେଇ ଟୟ ଟ୍ରେନ୍‌ ଷ୍ଟେସନରୁ ବାହାରି ୩୦ ମିନିଟ୍‌ ବୁଲିବାର ବ୍ୟବସ୍ଥା କରାଯାଇଛି।  ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ପଯ୍ୟଟକ ଟ୍ରେନରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିପାରିବେ । ଜଣକ ପିଛା ଟିକଟ ମୂଲ୍ୟ ରହିଛି ୪୦ଟଙ୍କା। ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଟଏ ଟ୍ରେନ । ଦୀର୍ଘ ଦନରୁ ବନ୍ଦ ପଡିଥିବା ଟଏ ଟ୍ରେନ୍‌ ଆଜିଠାରୁ ପୁଣି ଗଡିବ।

ସୂଚନା ଥାଉକି, ୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା । କୌଣସି ଠିକା ସଂସ୍ଥା ବି ପୁନର୍ବାର ନେବାକୁ ଅରାଜି ହୋଇଥିଲେ । ସେବେଠୁ ୯ ବର୍ଷ  ହେବ ବନ୍ଦ ପଡିଥିବା ଟଏ ଟ୍ରେନ ବା ଶିଶୁ ରେଳଗାଡି ଏବେ ଚାଲୁ ହେବାକୁ ଯାଉଛି । ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପ୍ରାୟ ୧୭ ବର୍ଷ ପରେ ପର୍ଯ୍ୟଟକମାନେ ପୁଣି ରୋପ ୱେର ମଜା ଉଠାଇବେ । ରୋପ ୱେ କାର୍ଯ୍ୟ ୧୮ ମାସ ସୁଦ୍ଧା ଶେଷ କରାଯିବାର ଯୋଜନା ରଖାଯାଇଛି । ନନ୍ଦନକାନନରୁ କାଞ୍ଜିଆ ହ୍ରଦ ଉପର ଦେଇ ବୋଟାନିକାଲ ଗାର୍ଡେନ ଯାଇପାରିବେ ପର୍ଯ୍ୟଟକ । ତେବେ ଏହି ଟୟ ଟ୍ରେନ୍‌ ଓ ରୋପ ୱେ ଆରମ୍ଭ ପରେ ନନ୍ଦନକାନନରେ ପୂର୍ବ ଅପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ଯା ବଢିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.