ଭିଜିଲାନ୍ସ ଅଧିକାରୀଙ୍କୁ ବିଦେଶରେ ଅନୁସନ୍ଧାନ ଶୀର୍ଷକ ତାଲିମ ପ୍ରଦାନ, ଓଡିଶା ଭିଜିଲାନ୍ସର ମୋଟ୍ ୧୨୯ ଜଣ ଅଧିକାରୀ ସାମିଲ୍
କଟକ: ଭିଜିଲାନ୍ସ ଅଧିକାରୀଙ୍କୁ ବିଦେଶରେ ଅନୁସନ୍ଧାନ ଶୀର୍ଷକ ତାଲିମ ପ୍ରଦାନ କରାଯାଇଛି । ଦିନିକିଆ ଏହି ଅନଲାଇନ ତାଲିମ କାର୍ଯ୍ୟକ୍ରମରେ ଓଡିଶା ଭିଜିଲାନ୍ସର ଇନ୍ସପେକ୍ଟର ଠାରୁ ଏସ୍ପି ର୍ୟାଙ୍କ ପର୍ଯ୍ୟନ୍ତ ୧୨୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଦୁର୍ନୀତିର ଚେର କେବଳ ରାଜ୍ୟ କିମ୍ବା ଦେଶ ଭିତରେ ଆବଦ୍ଧ ହୋଇ ରହୁ ନାହିଁ । ଅନେକ ହାଇ ପ୍ରୋଫାଇଲ ଦୁର୍ନୀତି ବିଦେଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହୁଛି ।
ଏଭଳି କର୍ମଶାଳା ରାଜ୍ୟର ଅଧିକାରୀମାନେ କିଭଳି ବିଦେଶୀ ସଂସ୍ଥା ସହ ଯୋଗାଯୋଗ କରି ସେମାନଙ୍କର ସହାୟତା ନେଇ ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ଭିଜିଲାନ୍ସ ନିର୍ଦେଶାଳୟ ଓ ସିବିଆଇର ଅନ୍ତର୍ଜାତୀୟ ପୋଲିସ ସହଯୋଗ ୟୁନିଟର ମିଳିତ ଆନୁକୂଲ୍ୟରେ ଏହି ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସିବିଆଇ ଆଇପିସିୟୁର ଡ଼ିଆଇଜି ବିଜୟେନ୍ଦ୍ର ବିଦାରୀ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ । ଏହି ଟ୍ରେନିଂ ରାଜ୍ୟ ଭିଜିଲାନ୍ସ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ବିଦେଶରେ କୌଣସି ଘଟଣାର ଅନୁସନ୍ଧାନ ବେଳେ ସହାୟକ ହେବ ବୋଲି ଆଶା କରାଯାଉଛି ।