ନିଲାମ ହେଲା ଟ୍ଵିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ଵିଟ୍, ଏତେ କୋଟି ଟଙ୍କାରେ ଲାଗିଲା ଡାକ

ଟ୍ଵିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ଵିଟ୍ ୨୪ ଲକ୍ଷ ଡଲାରରେ ନିଲାମ ହୋଇଛି। ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରାଗଲେ ମୂଲ୍ୟ ପାଖାପାଖି ୧୮ କୋଟି ଟଙ୍କାରୁ ଅଧିକ ହେବ। ନିଜ ପ୍ରଥମ ଟ୍ଵିଟ୍ର ନିଲାମୀରୁ ମିଳିଥିବା ଅର୍ଥରାଶିକୁ ଡୋର୍ସି ବିଟ୍ କଏନ୍ସ ରୂପରେ ଦାନ କରିବାକୁ ସ୍ଥିର କରିଛନ୍ତି। ସୂଚନାଥାଉ କି, ଡୋର୍ସି ୨୦୦୬ ମାର୍ଚ୍ଚ ୬ରେ ନିଜର ପ୍ରଥମ ଟ୍ଵିଟ୍ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ‘Just setting up my Twitter’।
୧୫ ବର୍ଷର ପୁରୁଣା ଏହି ଟ୍ଵିଟ୍କୁ Valuables ନାମକ ପ୍ଲାଟଫର୍ମରେ NFT (Non Fungible Token) ରୂପେ ନିଲାମୀ ପାଇଁ ରଖାଯାଇଥିଲା। ଟେକ୍ କମ୍ପାନୀ ‘ବ୍ରିଜ୍ ଓରେକଲ’ର ସିଇଓ ସିନା ଏଷ୍ଟାଭିଙ୍କ ଦ୍ୱାରା ସବୁଠାରୁ ଅଧିକ ନିଲାମ ଡାକ କରାଯାଇଥିବା କୁହାଯାଉଛି।
୨୧ ମାର୍ଚ୍ଚରେ ସରିଲା ନିଲାମୀ
ଡୋର୍ସି ପୂର୍ବରୁ ଏକ ଟ୍ଵିଟ୍ କରି କହିଥିଲେ ଯେ ୨୧ ମାର୍ଚ୍ଚରେ ନିଲାମ ପ୍ରକ୍ରିୟା ସରିବ। ଏଥିରୁ ମିଳିଥିବା ଧନରାଶିକୁ ତୁରନ୍ତ ବିଟ୍ କଏନ୍ସରେ ପରିବର୍ତ୍ତନ କରାଯିବ। ଏହାପରେ Give Directly Africa Responseକୁ ପଠାଇ ଦିଆଯିବ। କହି ରଖୁଛୁ, ଟ୍ଵିଟରରେ ଜ୍ୟାକ୍ ଡୋର୍ସିଙ୍କ ଏହି ପୁରୁଣା ଟ୍ଵିଟ୍ ଏ ପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଟ୍ଵିଟ୍ ମଧ୍ୟରୁ ଗୋଟିଏ ରହିଛି।