ପ୍ଲେ-ଷ୍ଟୋରରେ ମାଳ ମାଳ ନକଲି CoWIN ଆପ୍‌, ଡାଉନ୍‌ଲୋଡ୍‌ ନ କରିବାକୁ ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତ ସରକାର କରୋନା ଭ୍ୟାକ୍‌ସିନ୍‌ ଲଗାଇବା ପୂର୍ବରୁ ରେଜିଷ୍ଟ୍ରେସନ୍‌ କରିବା ପାଇଁ କୋଓ୍ଵିନ୍‌ ଆପ୍‌ ଲଞ୍ଚ୍‌ କରିବାକୁ ଘୋଷଣା କରିଛନ୍ତି। ସରକାର ଏବେ ଯାଏଁ ଅଫିସିଆଲି ଏହି ଆପ୍‌କୁ ଲଞ୍ଚ୍‌ କରିନାହାନ୍ତି। କିନ୍ତୁ ଗୁଗଲ ପ୍ଲେ ଷ୍ଟୋରରେ ଆପଣଙ୍କୁ ଅନେକ କୋ-ଓ୍ଵିନ୍‌ ଆପ୍‌ ମିଳିଯିବ। ରିପୋର୍ଟ ମୁତାବକ, ଗୁଗଲ ପ୍ଲେ ଷ୍ଟୋରରେ ଥିବା ସମସ୍ତ କୋ-ଓ୍ଵିନ୍‌ ଆପ୍‌ ନକଲି। ପ୍ରକୃତ ଆପ୍‌ ଏବେ ଯାଏଁ ପ୍ଲେ-ଷ୍ଟୋରକୁ ଆସିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନକଲି ଆପ୍‌କୁ ନେଇ ଲୋକଙ୍କୁ ସତର୍କ କରିବା ସହ ଡାଉନ୍‌ଲୋଡ୍‌ କରିବାକୁ ମନା କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି, କୋ-ଓ୍ଵିନ୍‌ ଏକ ଏଭଳି ମୋବାଇଲ ଆପ୍‌ ଯାହା ମାଗଣାରେ ଡାଉନ୍‌ଲୋଡିଂ ପାଇଁ ଉପଲବ୍ଧ ହେବ। ଏହି ଆପ୍‌ରେ ଟିକାକରଣ ପ୍ରକ୍ରିୟାଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟକଳାପ, ଟିକାକରଣ କର୍ମୀ ଓ ଯାହାକୁ ଭ୍ୟାକ୍‌ସିନ୍‌ ଦିଆଯିବ ତାଙ୍କର ପୂରା ସୂଚନା ରହିବ। ଏଥିରେ ସେଲ୍ଫ ରେଜିଷ୍ଟ୍ରେସନ୍‌ ବିକଳ୍ପ ମଧ୍ୟ ରହିବ।

କୋ-ଓ୍ଵିନ୍‌ ଆପ୍‌ରେ ରହିଛି ଏହି ୫ଟି ମଡ୍ୟୁଲ:

କୋଓ୍ଵିନ୍‌ ଆପ୍‌ ଟିକାକରଣ ପ୍ରକିୟା, ପ୍ରଶାସନିକ କାର୍ଯ୍ୟକଳାପ, ଟିକାକରଣ କର୍ମୀଙ୍କ ପାଇଁ ଏକ ମଞ୍ଚ ଭଳି କାମ କରିବ। ଏଥିରେ ୫ଟି ମଡ୍ୟୁଲ ରହିଛି। ପ୍ରଥମ ପ୍ରଶାସନିକ ମଡ୍ୟୁଲ, ଦ୍ୱିତୀୟ ରେଜିଷ୍ଟ୍ରେସନ୍‌ ମଡ୍ୟୁଲ, ତୃତୀୟ ଭ୍ୟାକ୍‌ସିନେସନ୍‌ ମଡ୍ୟୁଲ, ଚତୁର୍ଥ ଲାଭାନ୍ଵିତ ସ୍ୱୀକୃତି ମଡ୍ୟୁଲ ଓ ପଞ୍ଚମ ରିପୋର୍ଟ ମଡ୍ୟୁଲ। ରେଜିଷ୍ଟ୍ରେସନ୍‌ କରୁଥିବା ବ୍ୟକ୍ତି କେଉଁ କାମ ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ଚାହୁଁଛନ୍ତି, ଏହି ଅପ୍‌ସନ୍‌ରୁ ଚୟନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.