ଚନ୍ଦ୍ରାଣୀ ମୁର୍ମୁ : ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ରାଜନୀତି ମୈଦାନରେ ଜାରି ରଖିଛନ୍ତି ଲଢେଇ

ରାଜ୍ୟରେ ଲୋକସଭା ଆସନ କ୍ଷେତ୍ରରେ ଅନ୍ୟତମ ଚର୍ଚ୍ଚିତ ଆସନ କେନ୍ଦୁଝର। କାରଣ ଏହି ଆସନରୁ ଲଢୁଛନ୍ତି ଜଣେ ସର୍ବ କନିଷ୍ଠ ପ୍ରାର୍ଥୀ। ସେ ବି ଜଣେ ମହିଳା। ମାତ୍ର ୨୬ ବର୍ଷ ବୟସରେ ବିଜେଡି ତାଙ୍କୁ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। କିନ୍ତୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ମାତ୍ରେ ବିରୋଧୀ ଦଳ ଷଡ଼ଯନ୍ତ୍ର କରିବା ଆରମ୍ଭ କରିଥିଲେ। ତାକୁ ଖାତିର ନ କରି ଆଗକୁ ବଢି ଚାଲିଛନ୍ତି ଚନ୍ଦ୍ରାଣୀ ମୁର୍ମୁ ।

ଏପ୍ରିଲ ପହିଲାର ଘୋଷଣା ପରେ ଓଡ଼ିଶା ରାଜନୀତି ଆକାଶରେ ଆବିର୍ଭାବ ହେଲା ନୂଆ ଚନ୍ଦ୍ରାଣୀ । ବିଜେଡିରେ ମିଶିବାର ଦିନକ ଭିତରେ ଚନ୍ଦ୍ରାଣୀ ହେଲେ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ । ଆରମ୍ଭ ହେଲା ଚର୍ଚ୍ଚା, କିଏ ଚନ୍ଦ୍ରାଣୀ, କଣ ପରଚିୟ।

ଚନ୍ଦ୍ରାଣୀଙ୍କ ମୂଳ ରହିଛି ମୟୂରଭଞ୍ଜ ଜିଲ୍ଲାରେ। ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ ଚନ୍ଦ୍ରାଣୀ। କୁସୁମି ବ୍ଲକ ଅଙ୍ଗାରପଦା ଗାଁରେ ରହୁଛନ୍ତି ତାଙ୍କ ସମ୍ପର୍କୀୟ।  ଚନ୍ଦ୍ରାଣୀଙ୍କ ବୟସ ୨୬। ୨୦୧୭ରେ ମେକାନିକାଲରେ ବିଟେକ୍‌ ପାସ କରିଥିଲେ । ୟଙ୍ଗ ଟେକ୍ନୋକ୍ରାଟ୍‌ ଚନ୍ଦ୍ରାଣୀ । ନବୀନଙ୍କ ୩୩ ଫର୍ମୁଲାରେ ମିଳିଛି କେନ୍ଦୁଝର ଟିକେଟ୍‌। କିନ୍ତୁ ମୈଦାନରେ ଅସଲ ପରୀକ୍ଷା। ପିଲାବେଳୁ ରାଜନୀତି ପ୍ରତି ଥିଲା ସ୍ୱତନ୍ତ୍ର ଆକର୍ଷଣ। ଏବେ ସୁଯୋଗ ମିଳିଛି, କିଛି କରି ଦେଖାଇବା ପାଇଁ।

ଆରମ୍ଭ ହୋଇ ସାରିଛି ପ୍ରଚାର। ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟନା, କେନ୍ଦୁଝର, ଚମ୍ପୁଆ ଓ କରଞ୍ଜିଆ ଭଳି ନିର୍ବାଚନ ମଣ୍ଡଳୀ ବୁଲି ବୁଲି ପ୍ରଚାର କରୁଛନ୍ତି।

ଚନ୍ଦ୍ରାଣୀଙ୍କ ମନବଳ ଦୃଢ଼। ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ରାଜନୈତିକ ମୈଦାନରେ ଲଢେଇ ଜାରି ରଖିଛନ୍ତି। ରାଜନୀତିର ରାସ୍ତା କିନ୍ତୁ ସହଜ ନୁହଁ। ଆଜିକାଲି ଦୃଢ଼ ମନୋବଳା ମହିଳା ରାଜନେତାଙ୍କୁ କାଉଣ୍ଟର କରିବାକୁ, କିଛି ଗୋଷ୍ଠୀ ସୋସିଆଲ ମିଡିଆର ସାହାରା ନେଉଛନ୍ତି। ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି। ଟ୍ରୋଲିଂ ଆର୍ମି ଜରିଆରେ ତାକୁ ଅଧିକ ସେୟାର କରି ମିଛକୁ ସତ କରି ଦେଉଛନ୍ତି। ଆଉ ତାର ଶିକାର ହେଲେ ଚନ୍ଦ୍ରାଣୀ। ସୋସିଆଲ ମିଡିଆକୁ ଆସିଲା ଚନ୍ଦ୍ରାଣୀଙ୍କ ମର୍ଫଡ୍‌ ଭିଡିଓ। ଅଭିଯୋଗ ହେଲା ଥାନାରେ। ଜଣା ପଡିଲା ବିରୋଧୀ ଗୋଷ୍ଠୀର ଚାଲ୍‌।

ଚନ୍ଦ୍ରାଣୀ ଭାଇରଲା ଭିଡିଓ ପଛରେ କେଉଁ ଦଳ ରହିଛି କହିଲେ ନାହିଁ। କିନ୍ତୁ ଏ ମାମଲାରେ ଗିରଫ ହୋଇଛନ୍ତି କେନ୍ଦୁଝର ବିଜେପି ସୋସିଆଲ ମିଡିଆ ସଂଯୋଜକ ଜୟଦେବ ଗିରି ଓ ଭଦ୍ରକ ବିଜେପି ଆଇଟି ସେଲ୍‌ର ସଂଯୋଜକ ଚିନ୍ନୟ ସେନାପତି। ଏଥିରୁ ସ୍ପଷ୍ଟ ଷଡ଼ଯନ୍ତ୍ର ପଛରେ ରହିଛି କେଉଁ ଦଳ । ଏଥିରେ କିନ୍ତୁ ଭାଙ୍ଗିନାହାନ୍ତି, ଚନ୍ଦ୍ରାଣୀ। ଅଧିକ ସୁଦୃଢ଼ ହୋଇ ଆଗକୁ ବଢିଛନ୍ତି। ବିଜୟ ପାଇଁ ଆଶାବାଦୀ ଅଛନ୍ତି।

କେନ୍ଦୁଝର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅଛନ୍ତି ଅନନ୍ତ ନାୟକ ଓ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ମୋହନ ହେମ୍ବ୍ରମ। ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ବିଜେଡିର ଚନ୍ଦ୍ରାଣୀ, ରାଜନୀତିରେ ନବାଗତ ହେଲେ ମଧ୍ୟ ପ୍ରମାଣ କରୁଛନ୍ତି ସେ କୌଣସି ଗୁଣରେ କମ ନୁହଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.