ଆଇପିଏଲ୍ : ପୁଣି ଚେନ୍ନାଇର ସୁପର ପର୍ଫମାନ୍ସ, ନାଇଟ୍ ରାଇଡର୍ସକୁ ୫ ଓ୍ଵିକେଟ୍ରେ ମାତ୍ ଦେଲା

କୋଲକାତା : କୋଲକାତା ନାଇଟ୍ ରାଇଡର୍ସକୁ ୫ ଓ୍ଵିକେଟ୍ରେ ହରାଇ ଚଳିତ ଆଇପିଏଲ୍ରେ ସପ୍ତମ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ଏଠାରେ ଖେଳା ଯାଇଥିବା ୨୯ତମ ମ୍ୟାଚ୍ରେ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ବିଜୟୀ ହୋଇଛି । ଏହା ସହିତ ମୋଟ୍ ୧୪ ପଏଣ୍ଟ ହାସଲ କରି ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି ।
ଟସ୍ ଜିତି ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ କେକେଆରକୁ ବ୍ୟାଟିଂ ଦେଇଥିଲେ । ଘରୋଇ ଦଳ ପକ୍ଷରୁ ଓପ୍ନର କ୍ରିସ୍ ଲିୟନ୍ଙ୍କ ୫୧ ବଲ୍ରୁ ୮୨ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ଯୋଗଦାନ କରି ପାରି ନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ଓ୍ଵିକେଟ୍ ହରାଇ ୧୬୧ ରନ୍ କରିଥିଲା । ଚେନ୍ନାଇ ପକ୍ଷରୁ ଇମ୍ରାନ୍ ତାହିର ୨୭ ରନ୍ରେ ୪ଟି ଏବଂ ଠାକୁର ୨ଟି ଓ୍ଵିକେଟ୍ ନେଇଥିଲେ ।
ପରେ ରାଇନା ଅପରାଜିତ ୫୮ ରନ୍ କରି ଓ୍ଵିକେଟ୍ରେ ଶେଷ ପର୍ଯ୍ୟନ୍ତ ଜମି ରହିଥିଲେ । ଅନ୍ୟମାନଙ୍କ ସ୍ୱଳ୍ପ ସହଯୋଗ ଏବଂ ଶେଷ ଭାଗରେ ରବୀନ୍ଦ୍ର ଜାଡେଜାଙ୍କ ୧୭ ବଲ୍ରୁ ଅପରାଜିତ ୩୧ ରନ୍ ସହାୟତାରେ ଦଳକୁ ଜିତାଇ ଦେଇଥିଲେ । ଆଉ ୨ଟି ବଲ୍ ବାକି ଥିବା ବେଳେ ଚେନ୍ନାଇ ୫ ଓ୍ଵିକେଟ୍ରେ ୧୬୨ ରନ୍ର ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଧୋନି ୧୬ ରନ୍ କରିଥିଲେ ।