ଖାଲି ପଡ଼ିଛି କୋରାପୁଟ ବିଧାନସଭା ଆସନ, ଏଥର କାହା ହାତକୁ ଯିବ ?

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ଆସନ ଏବେ ଖାଲି ପଡିଛି। ୨୦୧୪ରେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିବା କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ନିକଟରେ ଇସ୍ତଫା ଦେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ତାଙ୍କୁ କଂଗ୍ରେସ ଆଉ ପ୍ରାର୍ଥୀ କରିବ କି ନାହିଁ, ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ କୋରାପୁଟକୁ ପୁଣି ଥରେ ଦଖଲ କରିବା ଲାଗି ଶାସକ ବିଜେଡି ଅଣ୍ଟା ଭିଡୁଥିବା ବେଳେ ବିଜେପି ମଧ୍ୟ ଚାଲେଂଜ ସୃଷ୍ଟି କରିବାର ଆଂଶକା ମଧ୍ୟ ରହିଛି। ଆସନ୍ତୁ ନଜର ପକାଇବା କୋରାପୁଟର ରାଜନୀତି ଉପରେ ।


କୋରାପୁଟ ବିଧାନସଭା ଆସନ। କୋରାପୁଟ ପୌରାଂଚଳ, ସନାବେଢା ପୌରାଂଚଳ, ଲମତାପୁଟ ବ୍ଲକ, କୋରାପୁଟ ବ୍ଲକର ୧୫ଟି ପଂଚାୟତ ଓ ବୈପାରୀଗୁଡା ବ୍ଲକର ୧୦ଟି ପଂଚାୟତକୁ ନେଇ ଗଠିତ । ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ ଏହି ଆସନରେ ଲୋକ ସଂଖ୍ୟା ୨ ଲକ୍ଷରୁ ଅଧିକ। ୧୯୫୧ ମସିହାରୁ ଏ ପର୍ଯ୍ୟନ୍ତ ହୋଇଥିବା ୧୩ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୭ ଥର କଂଗ୍ରେସ ଏହି ଆସନକୁ ଦଖଲ କରିଛି। ୧୯୫୧ ମସିହାରେ ଗଣତନ୍ତ୍ର ପରିଷଦ ପ୍ରାର୍ଥୀଗଙ୍ଗା ମୁଦୁଲି ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ। ୧୯୫୧ ମସିହାରୁ ଏହି ଆସନ ସାଧାରଣବର୍ଗ ଲାଗି ଥିବା ବେଳେ ୨୦୦୯ରୁ ଏହ ଆସନ ଅନୁସୂଚିତ ବର୍ଗ ଲାଗି ସଂରକ୍ଷିତ ହୋଇଛି । ବରିଷ୍ଠ କ୍ରଗେସ ନେତା ତାରା ପ୍ରସାଦ ବାହିନୀପତି ୨୦୦୦ ଓ ୨୦୦୪ରେ ଦୁଇ ଥର କଂଗ୍ରେସ ଟିକେଟରେ ବିଜୟୀ ହୋଇ କୋରାପୁଟକୁ ପ୍ରତିନିଧିତ୍ୱ କରିଛନ୍ତି । ତେବେ ଏହି ଆସନ ୨୦୦୯ରେ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ହେବା ପରେ ତାରାଙ୍କୁ ଏହି ଆସନ ଛାଡିବାକୁ ପଡିଛି।
ଆସନ ସଂରକ୍ଷିତ ହେବା ପରେ ପ୍ରଥମ ଥର ଲାଗି ବିଜେଡି ୨୦୦୯ରେ କୋରାପୁଟ ଆସନ ଦଖଲ କରିଥିଲା। ବିଜେଡିର ରଘୁରାମ ପଡାଲ ବିଧାୟକ ହୋଇଥିଲେ। ଅବଶ୍ୟ ୨୦୧୪ରେ ବିଜେଡିକୁ ଏହି ଆସନ ହରାଇବାକୁ ପଡିଲା। ୨୦୧୪ରେ କଂଗ୍ରେସର କୃଷ୍ଣଚନ୍ଦ୍ର ସଗରିଆ ଏଠାରୁ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନର ଫଳାଫଳ

୨୦୧୪ରେ ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁ ୪, ୯୭୬ ଖଣ୍ଡ ଭୋଟରେ ହରାଇ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ସଗରିଆଙ୍କୁ ୫୦, ୬୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁ ମିଳିଥିଲା ୪୫,୬୯୬ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଜୟୀରାମ ଗରାଡଙ୍କୁ ମିଳିଥିଲା ୧୩,୬୬୫ ଖଣ୍ଡ ଭୋଟ୍‌ । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦.୬୫ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ମିଳିଥିଲା ୩୬.୬୬ ପ୍ରତିଶତ ଭୋଟ । ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀଙ୍କୁ ୧୦.୯୬ ପ୍ରତିଶତ ଭୋଟ ମିଳିଥିଲା।

KORAPUT-2
କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୈତିକ ପରିବେଶ ସରଗରମ ରହିଛି। କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ ଏଥର ପ୍ରାର୍ଥୀ କରିବ କି ନାହିଁ, ତାହା ଉପରେ ଏବେ ପ୍ରଶ୍ନ ମଧ୍ୟ ଉଠିଛି। ଏଭଳି ସ୍ଥଳେ କୋରାପୁଟ ଆସନକୁ ପୁଣି ଥରେ ଦଖଲ କରିବାକୁ ଶାସକ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପଟେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଗିରିଧର ଗମାଙ୍ଗ ଓ ବିଜେଡିରୁ ଯାଇ ବିଜେପିରେ ଯୋଗ ଦେଇଥିବା ଜୟରାମ ପାଙ୍ଗୀ ବିଜେପି ପାଇଁ ଅଣ୍ଟା ଭିଡିଛନ୍ତି । ତେଣୁ କୋରାପୁଟ ଆସନରେ ପୂର୍ବରୁ ଯେଉଁ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳୁଥିଲା, ଏଥର ତାର ପରିବର୍ତ୍ତନ ହୋଇ ତ୍ରିକୋଣୀୟ ଲଢେଇର ସମ୍ଭାବନା ସୃଷ୍ଟ ହୋଇଛି। ଏବେ ଦେଖିବାର କଥା କାହାର ପଲ୍ଲା ଭାରୀ ରହୁଛି । କିଏ ଜିତୁଛି ଶାବର ଶ୍ରୀକ୍ଷେତ୍ରରୁ ।

ରିପୋର୍ଟ : ବ୍ୟୁରୋ ଇନ୍‌ପୁଟ ସହ କୋରାପୁଟରୁ କୀର୍ତ୍ତିଚନ୍ଦ୍ର ସାହୁ, କେ ନ୍ୟୁଜ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.