ଶେଷ ଟି-୨୦ : ମ୍ୟାଚ୍‌ ଓ ସିରିଜ୍‌ ବିଜୟ ପାଇଁ ବାଂଲାଦେଶ ଆଗରେ ୧୭୫ ରନ୍‌ ଲକ୍ଷ୍ୟ ରଖିଲା ଭାରତ

ନାଗପୁର : କିଏ ଜିତିବ ନିର୍ଣ୍ଣାୟକ ମ୍ୟାଚ୍‌ ? ଭାରତ ନା ବାଂଲାଦେଶ ? ଏହାକୁ ନେଇ ଉତ୍କଣ୍ଠାରେ କ୍ରିକେଟ୍‌ ପ୍ରେମୀ । ଆଜି ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ୫ ଓ୍ଵିକେଟ୍‌ରେ ୧୭୪ ରନ୍‌ ସ୍କୋର କରିଛି । ତେଣୁ ୧୭୫ ରନ୍‌ କଲେ ବାଂଲାଦେଶ ମ୍ୟାଚ୍‌ ସହ ସିରିଜ୍‌ ବିଜୟୀ ହେବ ।
ଆଜି ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଗତ ମ୍ୟାଚ୍‌ର ସୁପର ହିରୋ ରୋହିତ ଶର୍ମା କିନ୍ତୁ ଆଜି ଫ୍ଲପ୍‌ ହୋଇଥିଲେ । ସେ ମାତ୍ର ୨ ରନ୍‌ କରି ଇସଲାମଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ସେହିପରି ତାଙ୍କ ଯୋଡ଼ିଦାର ଶିଖର ଧବନ୍‌ ୧୬ ବଲ୍‌ରେ ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ ଏହା ପରେ କେଏଲ୍‌ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଯୋଡ଼ି ଦମ୍ଭର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୫୯ ରନ୍‌ ଯୋଡ଼ିଥିଲେ । ରାହୁଲ ୩୫ ବଲ୍‌ରେ ୫୨ ରନ୍‌ (୭ ଚୌକା) କରି ଅଲ୍‌ ଆମିନ୍‌ ହୋସେନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତେବେ ଆୟର ଭଲ ବ୍ୟାଟିଂ ଜାରି ରଖି ୧୫ତମ ଓଭର୍‌ରେ ହୋସେନ୍‌ଙ୍କ ବଲ୍‌ରେ ଲଗାତର ୩ଟି ଛକା ମାରି ଷ୍ଟାଇଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୨୭ ବଲ୍‌ରେ ଗୋଟିଏ ଚୌକା ଓ ୫ଟି ଛକା ମାରି ଠିକ୍‌ ୫୦ ରନ୍‌ ପୂରଣ କରିଥିଲେ । ଏହା ହେଉଛି ଟି-୨୦ରେ ଆୟରଙ୍କର ପ୍ରଥମ ଅର୍ଦ୍ଧଶତକ । ହୋସେନ୍‌ଙ୍କ ସେହି ଓଭରରେ ମୋଟ୍‌ ୨୦ ରନ୍‌ ସଂଗ୍ରହ ହୋଇଥିଲା ।

RAHULଋଷଭ ପନ୍ତଙ୍କ ସହ ଆୟର ଚତୁର୍ଥ ଓ୍ଵିକେଟ୍‌ରେ ୪୫ ରନ୍‌ ଯୋଡ଼ିଥିଲେ । ତେବେ ଏଥିରେ ପନ୍ତଙ୍କ ଯୋଗଦାନ ଥିଲା ମାତ୍ର ୬ ରନ୍‌ । ଶେଷରେ ଆୟର ୩୩ ବଲ୍‌ରେ ୬୨ ରନ୍‌ (୩ ଚୌକା, ୫ ଛକା) ସୌମ୍ୟ ସରକାରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ସେତେବେଳକୁ ଭାରତର ସ୍କୋର ଥିଲା ୫ ଓ୍ଵିକେଟ୍‌ରେ ୧୪୪ ରନ୍‌ । ପନ୍ତ ଓ ଆୟର ଗୋଟିଏ ଓଭରରେ ଆଉଟ୍‌ ହୋଇଥିଲେ । ଏହା ପରେ ମନୀଷ ପାଣ୍ଡେ (୧୩ ବଲ୍‌ରେ ୨୨) ଓ ଶିବମ୍‌ ଦୁବେ (୯) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତର ସ୍କୋରକୁ ୧୭୪ ରନ୍‌ରେ ପହଞ୍ଚାଇ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.