ଗର୍ଜିଲେ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରୁ ଗେରୁଆ ବସ୍ତ୍ରଧାରୀ ଗୁଣ୍ଡାଙ୍କୁ ପଶ୍ଚିମବଙ୍ଗ ପଠାଉଛି ବିଜେପି, ଆମ ସଂସ୍କୃତିକୁ କରୁଛି ବରବାଦ୍‌

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ରାଜନୈତିକ ଦଳଗୁଡ଼ିକ ଭିତରେ ବାକ୍‌ ଯୁଦ୍ଧ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥି ର‍୍ୟାଲିରୁ ତୃଣମୂଳ କଂଗ୍ରେସକୁ ଘେରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଷ୍ଣୁପୁର ର‍୍ୟାଲିରୁ ବିଜେପି ଉପରକୁ ସିଧା ଆକ୍ରମଣ କରିଛନ୍ତି।

ମମତା କହିଛନ୍ତି, ବିଜେପି ବାହାରୁ ଗୁଣ୍ଡା ଆଣୁଛି ଏବଂ ତାଙ୍କ ଦ୍ୱାରା ବଙ୍ଗରେ ପ୍ରଚାର କରାଉଛି। ଯିଏ ବଙ୍ଗର ଲୋକ, ଆମେ ତାଙ୍କୁ ବାହାର କହୁ ନାହୁଁ। ଉତ୍ତର ପ୍ରଦେଶରୁ ଗେରୁଆ ବସ୍ତ୍ର ପିନ୍ଧିଥିବା ଏବଂ ଗୁଟଖା ଚୋବାଉଥିବା ଗୁଣ୍ଡାଙ୍କୁ ଏଠାକୁ ପଠା ଯାଉଛି। ଏହି ଲୋକ ଆମ ସଂସ୍କୃତିକୁ ବରବାଦ୍‌ କରୁଛନ୍ତି। ବିଷ୍ଣୁପୁର ର‍୍ୟାଲିରେ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ପଦକୁ ବହୁତ ସମ୍ମାନ କରନ୍ତି। କିନ୍ତୁ ନରେନ୍ଦ୍ର ମୋଦି ସବୁଠୁ ବଡ଼ ମିଛୁଆ। ମୋଦି ୧୫ ଲକ୍ଷ ଦେବାକୁ ଯେଉଁ କଥା ଦେଇଥିଲେ, ତାହାର କ’ଣ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସେ ଆହୁରି କହିଥିଲେ କି, ଦିଲ୍ଲୀ ରାସ୍ତାରେ ଚାଷୀମାନେ ଅନେକ ଦିନ ଧରି ବସିଛନ୍ତି। କିଛି ଚାଷୀଙ୍କ ଜୀବନ ବି ଚାଲିଯାଇଛି। କିନ୍ତୁ ମୋଦି ଓ ଅମିତ୍‌ ଶାହ ଚୁପ୍‌ ହୋଇ ବସି ରହିଛନ୍ତି। ବିଜେପି କୋଟିଏ ଲୋକଙ୍କୁ ରୋଜଗାର ଦେବାକୁ କଥା ଦେଇଥିଲା। କିନ୍ତୁ କାହାକୁ ବି ଚାକିରି ଖଣ୍ଡିଏ ମିଳିନାହିଁ। ବିଜେପି କେବଳ ଡାହା ମିଛ କହୁଛି।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୩୦ ଆସନ ଉପରେ ଭୋଟ ଗ୍ରହଣ କରାଯିବ। ବୁଧବାର ମୋଦି କାନ୍ଥିରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଥିଲେ କି, ମେ’ ୨ରେ ଟିଏମ୍‌ସି ହାରିବା ନିଶ୍ଚିତ ଏବଂ ଏଥର ବଙ୍ଗରେ ବିଜେପି ସରକାର ଗଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.