ଓଡ଼ିଶା-ଉତ୍ତର ପ୍ରଦେଶ ରଣଜୀ ମ୍ୟାଚ୍ : ପ୍ରଥମ ଇନିଂସରେ ଓଡ଼ିଶାର ୨୫୬ ରନ୍, ଉତ୍ତର ପ୍ରଦେଶ ୪୨/୧

ଭୁବନେଶ୍ବର (କେନ୍ୟୁଜ୍) : ମାତ୍ର ୧୩ ରନ୍ ପାଇଁ ଶତକରୁ ବଞ୍ଚିତ ହେଲେ ଶୁଭ୍ରାଂଶୁ ସେନାପତି । ହେଲେ ତାଙ୍କର ଲଢୁଆ ୮୭ ରନ୍ ଯୋଗୁଁ ଉତ୍ତର ପ୍ରଦେଶ ବିପକ୍ଷରେ ଘରୋଇ ଓଡ଼ିଶା ଦଳ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିବସରେ ୨୫୬ ରନ୍ କରି ସମସ୍ତ ୱିକେଟ୍ ହରାଇଛି ।

କିଟ୍ ଷ୍ଟାଡିୟମରେ ଉତ୍ତର ପ୍ରଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଓପ୍ନର ସନ୍ଦୀପ ପଟ୍ଟନାୟକ ଓ ଅନୁରାଗ ଷଡ଼ଙ୍ଗୀଙ୍କୁ ମିଡିୟମ ପେସ୍ ବୋଲର ଅଙ୍କିତ ରାଜପୁତଙ୍କୁ ସଅଳ ଆଉଟ୍ କରି ଓଡ଼ିଶାକୁ ପ୍ରଥମରୁ ବଡ଼ ଝଟକା ଦେଇଥିଲେ । ମାତ୍ର ୧୦ ରନରେ ଖସି ପଡ଼ିଥିଲେ ଓଡ଼ିଶାର ଦୁଇ ଓପ୍ନର । ଏହା ପରେ ଗୋବିନ୍ଦ ପୋଦ୍ଦାର (୩୯) ଏବଂ ଶୁଭ୍ରାଂଶୁ ପାଳି ସମ୍ଭାଳିଥିଲେ । ପରେ ସୁଜିତ ଲେଙ୍କା (୪୬) ଶୁଭ୍ରାଂଶୁଙ୍କ ସହ ମିଶି ଷଷ୍ଠ ୱିକେଟରେ ବେଶ୍ କିଛି ସମୟ ଲଢ଼େଇ କରି ୬୭ ରନ୍ ଯୋଡ଼ିଥିଲେ । ଶୁଭ୍ରାଂଶୁ ୧୪ ଚୌକା ସହାୟତାରେ ୮୭ ରନ୍ କରି ଆଉଟ୍ ହୋଇଥିବା ବେଳେ ସୁଜିତ କରିଥିଲେ ୪୬ ରନ୍ । ତାଙ୍କ ପରେ ଦେବବ୍ରତ ପ୍ରଧାନ (୨୪) ଓ ରାଜେଶ ମହାନ୍ତି (୨୩)ଙ୍କ ସଂକ୍ଷିପ୍ତ ଇନିଂସ ବେଶ୍ ଉପଯୋଗୀ ହୋଇଥିଲା । ଯାହାଫଳରେ ଓଡ଼ିଶା ଦଳ ସମସ୍ତ ୱିକେଟ୍ ହରାଇ କରିଥିଲା ୨୫୬ ରନ୍ ।

ଉତ୍ତର ପ୍ରଦେଶର ଦୁଇ ପ୍ରମୁଖ ବୋଲର ଅଙ୍କିତ ରାଜପୁତ ଓ ୟଶ ଦୟାଲ ୩ଟି ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି । ଆକାଶଦୀପ ଓ ସୌରଭ କୁମାରଙ୍କୁ ମିଳିଛି ୨ଟି ଲେଖାଏଁ ସଫଳତା ।

ଜବାବରେ ଉତ୍ତର ପ୍ରଦେଶ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୧୮ ଓଭର ଖେଳି ଗୋଟିଏ ଓ୍ୱିକେଟ୍ ହରାଇ ୪୨ ରନ୍ କରିଥିଲା ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୨୫୬ ରନ୍, ୬୮.୧ ଓଭର (ଗୋବିନ୍ଦ ପୋଦ୍ଦାର ୩୯, ଶୁଭ୍ରାଂଶୁ ସେନାପତି ୮୭, ସୁଜିତ ଲେଙ୍କା ୪୬ ରନ୍ । ଅଙ୍କିତ ରାଜପୁତ ୧୬-୩-୬୧-୩ । ୟଶ ଦୟାଲ ୧୭-୧-୬୨-୩ । ଆକାଶଦୀପ ନାଥ ୧୦-୩-୧୬-୨, ସୌରଭ କୁମାର ୧୩.୧-୨-୫୮-୨) । ଉତ୍ତର ପ୍ରଦେଶ ପ୍ରଥମ ଇନିଂସ-୪୨/୧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.