୫୦ ଲକ୍ଷର ଲାଞ୍ଚ ନେଇ ବନ୍ଧା ହେଲେ କର୍ପୋରେଟର, ଦୋକାନ ଭାଙ୍ଗି ଦେବେ କହି ଦେଉଥିଲେ ଧମକ

୫୦ ଲକ୍ଷର ଲାଞ୍ଚ ନେଇ ବନ୍ଧା ହେଲେ କର୍ପୋରେଟର। ମହାରାଷ୍ଟ୍ରର ଭିବଣ୍ଡୀ ନିଜାମପୁର ମହାନଗରପାଳିକାର ଜଣେ କଂଗ୍ରେସ କର୍ପୋରେଟରଙ୍କୁ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଆଣ୍ଟି କରପସନ୍‌ ବ୍ୟୁରୋ(ଏସିବି) ଗିରଫ କରିଛି। ପରିବା ମାର୍କେଟରେ ଜଣେ ଦୋକାନ ମାଲିକ ଠାରୁ ସେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି।

ଏସିବି ମୁତାବକ, ୬୨ ବର୍ଷୀୟ କର୍ପୋରେଟର ସିଦ୍ଧେଶ୍ୱର ମୋଗଲପ୍ପା କାମୂର୍ତ୍ତି ପରିବା ମାର୍କେଟରେ ମାଲିକଙ୍କ ଠାରୁ ୨ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଭିବଣ୍ଡୀର ପରିବାର ମାର୍କେଟର। ଏହି ମାର୍କେଟରେ ତାଙ୍କର ୧୦୦ଟି ଦୋକାନ ରହିଛି। ଅଭିଯୁକ୍ତ କର୍ପୋରେଟର ନଗର ନିଗମରେ ଅଭିଯୋଗ କରିଥିଲେ ଯେ ଏସବୁ ଦୋକାନ ଅବୈଧ। ଏଣୁ ଏହାକୁ ତୁରନ୍ତ ଭଙ୍ଗାଯାଉ।

ଏହା ପରେ ଦୋକାନକୁ ନ ଭାଙ୍ଗିବା ପାଇଁ ଦୋକାନ ମାଲିକ ଉକ୍ତ କର୍ପୋରେଟରଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ କର୍ପୋରେଟର ସିଦ୍ଧେଶ୍ୱର ଦୋକାନ ମାଳିକଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦେବାକୁ କହିଥିଲେ। କିନ୍ତୁ ସେ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି ଜଣାଇବାରୁ ୫୦ ଲକ୍ଷ ଦେବାକୁ କଥା ଛିଡ଼ିଥିଲା। ପରେ ଦୋକାନ ମାଲିକ ଏ ନେଇ ଏସିବିକୁ ଜଣାଇଥିଲେ। ଏସିବିର ଯୋଜନା ମୁତାବକ, ଲାଞ୍ଚୁଆ କର୍ପୋରେଟର ଟଙ୍କା ନେବା ବେଳେ ତାଙ୍କୁ ଧରିଥିଲେ ଅଧିକାରୀ। କର୍ପୋରେଟରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.