ଅଧିକ ଖାଇବା ପରେ ପେଟ ଭାରି ଭାରି ଲାଗୁଛି କି? ଆରାମ ପାଇବା ପାଇଁ ତୁରନ୍ତ ଆପଣାନ୍ତୁ ଏହି ଘରୋଇ ଉପଚାର

ବିବାହ କିମ୍ବା ଅନ୍ୟାନ୍ୟ ଭୋଜିରେ ଅଧିକ ତେଲ, ଛଣା ଜିନିଷ ଖାଇଦେବା ଦ୍ୱାରା ଆମ ପେଟ ଭାରି ଭାରି ଲାଗିଥାଏ। ଏହି କାରଣରୁ ଆମକୁ ଅସହଜ ଅନୁଭବ ହୋଇଥାଏ। ଯଦି ଆପଣଙ୍କ ସହିତ ବି ଏମିତି ସମସ୍ୟା ଉପୁଜୁଛି, ତା’ ହେଲେ ଆଗାମୀ ଥର ଏଥିରୁ ଦୂରେଇ ରହିବା ତଥା ଆରାମ ପାଇବା ପାଇଁ କେତେକ ଘରୋଇ ଉପଚାର ଆପଣାନ୍ତୁ।

ପାନ ମଧୁରୀ ଓ ମିଶ୍ରି

ପାନ ମଧୁରୀ ଓ ମିଶ୍ରି ସେବନ ଦ୍ୱାରା ପେଟରେ ଭାରିପଣ ଅନୁଭବ ହୋଇ ନ ଥାଏ। ଏହା ବ୍ୟତୀତ ପାନ ମଧୁରୀ ଓ ମିଶ୍ରି ଏକାଠି ଖାଇଲେ ମୁହଁରୁ ଆସୁଥିବା କଞ୍ଚା ପିଆଜ ଓ ଖାଦ୍ୟର ଦୁର୍ଗନ୍ଧ ବି ଦୂର ହୋଇ ଯାଇଥାଏ।

ଭିଜା ଯାଇଥିବା ଅଳସୀ ମଞ୍ଜି

ଯଦି ଆପଣଙ୍କୁ ଖାଇବା ପରେ ପେଟରେ ଭାରିପଣ ଅନୁଭବ ହେଉଛି, ତା’ ହେଲେ ଆପଣ ଅଳସୀ ମଞ୍ଜି ସେବନ କରି ପାରିବେ। ଏଥିପାଇଁ କିଛି ଅଳସୀ ମଞ୍ଜିକୁ ପାଣିରେ ଭିଜେଇ ରଖି ଦିଅନ୍ତୁ। ଏହି ପାଣିକୁ ଆପଣ ଡିନର ପରେ ହେଉ କିମ୍ବା ସକାଳ ସମୟରେ ସେବନ କରି ପାରିବେ। ଏମିତି କରିବା ଦ୍ୱାରା ଶରୀରର ପାଚନ ପ୍ରକ୍ରିୟା ଭଲ ହୋଇଥାଏ ଏବଂ ପେଟ ବି ସଫା ରହିଥାଏ।

ସବୁଜ ଗୁଜୁରାତି

ଖାଦ୍ୟ ଖାଇବାର ତୁରନ୍ତ ପରେ ଗୁଜୁରାତି ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟର ଭାରିପଣ ଦୂର ହେବ। ଗୁଜୁରାତି ପେଟକୁ ଫୁଲିବାକୁ ଦେଇ ନ ଥାଏ। ତେଣୁ ଖାଦ୍ୟ ଖାଇବା ପରେ ଗୋଟିଏ କିମ୍ବା ଦୁଇଟି ଗୁଜୁରାତି ନିଶ୍ଚୟ ଚୋବାନ୍ତୁ। ଏହାଦ୍ୱାରା ପେଟର ଭାରିପଣ ସମସ୍ୟା ଦୂର ହେବା ସହିତ ମୁହଁରୁ ଖାଦ୍ୟର ବାସ୍ନା ମଧ୍ୟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.