ପରାଜୟକୁ ଗ୍ରହଣ କରିପାରିଲା ନାହିଁ ବାଂଲାଦେଶ, କୋହଲିଙ୍କ ନାଁରେ ଆଣିଲା ସାଂଘାତିକ ଅଭିଯୋଗ

ଟି -୨୦ ବିଶ୍ୱକପ ୨୦୨୨ ପାଇଁ ବୁଧବାର ଭାରତ ଏବଂ ବାଂଲାଦେଶ (ଭାରତ ବନାମ ବାଂଲାଦେଶ) ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୫ ରନ୍ ରେ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ ପରଠାରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ‘ନକଲି ଫିଲ୍ଡିଂ’ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।

ବାଂଲାଦେଶ ୱିକେଟ କିପର ନୁରୁଲ ହାସାନ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ବୁଧବାର ବାଂଲାଦେଶ ବ୍ୟାଟିଂ ସମୟରେ ବିରାଟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଭୁଆଁ ବୁଲାଇବା ପାଇଁ ଫେକ ଫିଲଡିଂ(ଛଳନା) କରିଥିବା ଅଭିଯୋଗ କରିଛନ୍ତି ନୁରୁଲ ହାସନ। ଯାହାକୁ ମ୍ୟାଚ ସମୟରେ ଅମ୍ପାୟାର ଅଣଦେଖା କରିଛନ୍ତି। ଏହାଦ୍ୱାରା ଟି-ଟ୍ୱେଣ୍ଟି ମ୍ୟାଚରେ ସମ୍ଭାବ୍ୟ ୫ ରନ୍ ପେନାଲ୍ଟିରୁ ଭାରତୀୟ ଦଳ ବିଜୟ ହାସଲ କରିଛି।

ନୁରୁଲ ହସନଙ୍କ ଅନୁଯାୟୀ, ମ୍ୟାଚ୍ ଚାଲିଥିବା ବେଳେ ଏମିତି ଗୋଟିଏ ମୁହୂର୍ତ୍ତ ଆସିଥିଲା ଯେତେବେଳେ ବିରାଟ କୋହଲି ମିଛ ଫିଲ୍ଡିଂର ଅଭିନୟ କରିଥିଲେ । ଆଉ ଏହି ସମୟରେ ବାଂଲାଦେଶର ଦୁଇ ଖେଳାଳୀ ରନ୍ ନେବାରେ ବ୍ୟସ୍ତ ଥିଲେ । କିନ୍ତୁ ବିରାଟଙ୍କ ଏହି ମିଛ ଫିଲ୍ଡିଂ ଅମ୍ପାୟାରଙ୍କ ନଜରକୁ ଆସିନଥିଲା । ଯଦି ଏମିତି ହୋଇଥାନ୍ତା ତେବେ ଭାରତକୁ ଦଣ୍ଡ ସ୍ୱରୂପ ବାଂଲାଦେଶ ଟିମକୁ ଅତିରିକ୍ତ ୫ ରନ୍ ମିଳିଥାନ୍ତା । ଆଉ ଏହାଦ୍ୱାରା ବାଂଲାଦେଶ ମ୍ୟାଚ୍ ଜିତିପାରିଥାନ୍ତା ।

ତେବେ ଖେଳ ଶେଷ ହେବା ପରେ ନୁରୁଲ ପଡିଆର ଅମ୍ପାୟାରଙ୍କୁ ସମାଲୋଚନା କରୁଥିବା ଜଣାପଡିଛି। ନୁରୁଲ କହିଛନ୍ତି ଯେ, ବର୍ଷା ପରେ ଖେଳ ଆରମ୍ଭ ହୋଇଥିଲା, ଯାହା ଫଳରେ ଓଦା ଆଉଟଫିଲ୍ଡ ମ୍ୟାଚ ଉପରେ ପ୍ରଭାବ ପକାଇଥିଲା। କିନ୍ତୁ ସେଠାରେ ବିରାଟ ଏକ ନକଲି ଥ୍ରୋ କରିଥିଲେ, ଯାହା ପାଇଁ ଆମକୁ ପାଞ୍ଚ ରନ ଆକାରରେ ମିଳିବା କଥା। ହେଲେ ଆମେ ତାହା ପ୍ରକୃତରେ ପାଇନାହୁଁ। ପରୋକ୍ଷରେ ଅମ୍ପାୟାର କ୍ରିସ ବ୍ରାଉନ ଏବଂ ମାରାଇସ ଏରାସମୁସ ଏହି ଘଟଣାକୁ ଅଣଦେଖା କରିଛନ୍ତି ବୋଲି ନୁରୁଲ କହିଛନ୍ତି।

ଆଇସିସିର ନିୟମ ଅନୁଯାୟୀ, କେହି ଫିଲ୍ଡର ଜାଣିଶୁଣି ବ୍ୟାଟରଙ୍କ ଧ୍ୟାନଭଙ୍ଗ, ଭ୍ରମିତ କରିଲେ କିମ୍ବା ବାଧା ଦେଲେ ଅମ୍ପାୟାର ଏହାକୁ ଡେଡ୍ ବଲ ଘୋଷଣା କରିବା ସହ ବ୍ୟାଟିଂ କରୁଥିବା ଟିମକୁ ଅତିରିକ୍ତ ୫ ରନ୍ ଦେଇଥାନ୍ତି । ଯେହେତୁ ବାଂଲାଦେଶର ବ୍ୟାଟର କୋହଲିଙ୍କ ଆଡକୁ ଆଦୌ ଚାହିଁନଥିଲେ ତେଣୁ ଭ୍ରମିତ ହେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଭାରତୀୟ କ୍ରିକେଟପ୍ରେମୀ କହିଛନ୍ତି । ତେଣୁ ନିଜ ମୁଣ୍ଡରୁ ଅଠା ଛଡାଇବାକୁ ବାଂଲାଦେଶ କ୍ରିକେଟର ଏଭଳି ମିଛ ବାହାନା କରୁଥିବା କହିଛନ୍ତି ଭାରତୀୟ କ୍ରିକେଟ ପ୍ରସଶଂସକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.