ମାଇନସ୍ ୭ ଡିଗ୍ରୀରେ ସୁଟ୍ କରିବାରୁ ବିଗିଡ଼ିଲା ହିମାଂଶୀ ଖୁରାନାଙ୍କ ସ୍ୱାସ୍ଥ୍ୟ! ନାକରୁ ବାହାରିଲା ରକ୍ତ, ହସ୍ପିଟାଲରେ ଭର୍ତ୍ତି
ପଞ୍ଜାବୀ ଷ୍ଟାର୍ ତଥା ବିଗ୍ ବସ୍ ୧୩ ଫେମ୍ ହିମାଂଶୀ ଖୁରାନାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଛି। ସିଙ୍ଗର ତଥା ଅଭିନେତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ସୁଟ୍ କରୁଥିବା ବେଳେ ହିମାଂଶୀଙ୍କୁ ପ୍ରବଳ ଜ୍ୱର ଆସିବା ସହ ତାଙ୍କ ନାକରୁ ରକ୍ତ ବାହାରିଥିଲା। ଅଭିନେତ୍ରୀ ରୋମାନିଆରେ ନିଜ ଫିଲ୍ମର ସୁଟିଂ କରୁଥିଲେ, ତାହାରି ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା।
ରିପୋର୍ଟ ମୁତାବକ, ପଞ୍ଜାବର ଐଶ୍ୱର୍ଯ୍ୟା ରାୟ ନାଁରେ ଜଣାଶୁଣା ହିମାଂଶୀ ଖୁରାନା ବର୍ତ୍ତମାନ ରୋମାନିଆରେ ନିଜ ଫିଲ୍ମର ସୁଟିଂ କରୁଛନ୍ତି। ‘ଫତ୍ତୋ ଦେ ୟାର ବଡ଼େ ନେ’ ଫିଲ୍ମରେ ତାଙ୍କ ସହ ଇନ୍ଦର ଚହଲ, ନିଶା ବାନୋଙ୍କ ଭଳି କଳାକାର ମଧ୍ୟ ଅଭିନୟ କରୁଛନ୍ତି।
ହିମାଂଶୀ ରୋମାନିଆରେ ମାଇନସ୍ ୭ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ସୁଟ୍ କରୁଥିଲେ, ଯେଉଁ କାରଣରୁ ତାଙ୍କୁ ପ୍ରବଳ ଜ୍ୱର ଆସିଥିଲା ବୋଲି କୁହାଯାଉଛି। ଏହି ସମୟରେ ତାଙ୍କ ନାକରୁ ମଧ୍ୟ ରକ୍ତ ବାହାରିଥିଲା। ସୁଟିଂ ସମୟରେ ହିମାଂଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାର ଦେଖି ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।
ହିମାଂଶୀଙ୍କୁ ‘ଜିତ୍ ଜାଏଙ୍ଗେ ଜହାଁ’, ‘ସାଡା ହକ୍’, ‘ଲେଦର ଲାଇଫ୍’, ‘ଅଫସର’ ଆଦି ଫିଲ୍ମ ପାଇଁ ଜଣାଯାଇଥାଏ। ଅଭିନେତ୍ରୀ ଫିଲ୍ମର ଏକ ସିକ୍ୱେନ୍ସ ସୁଟିଂ କରୁଥିଲେ, ଯେଉଁଥିରେ ତାଙ୍କୁ ପ୍ରବଳ ଥଣ୍ଡାରେ ବର୍ଷା ତଳେ ସୁଟ୍ କରିବାର ଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲେ ମଧ୍ୟ ସେ ସୁଟିଂ ରୋକି ନ ଥିଲେ। ସେ ଲଗାତାର ଭାବରେ କାମ କରି ଚାଲିଥିଲେ। ବର୍ତ୍ତମାନର ସୂଚନା ଅନୁସାରେ, ହିମାଂଶୀଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ଅଛି। ଡାକ୍ତରମାନେ ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।
ବିଗ୍ ବସ୍ ୧୩ର ପ୍ରତିଯୋଗୀ ରହି ସାରିଥିବା ହିମାଂଶୀ ନିକଟରେ ଏକ ଚାଟ୍ ଶୋ’ରେ ନିଜ ବିଷୟରେ କେତେକ କଥା ଖୁଲାସା କରିଥିଲେ। ସେ କହିଥିଲେ, ବିଗ୍ ବସ୍ ପରେ ସେ ମାନସିକ ରୂପେ ବହୁତ ଚିନ୍ତିତ ରହୁଥିଲେ। ଶୋ’ ପରେ ସେ କିଭଳି ଡିପ୍ରେସନକୁ ଚାଲି ଯାଇଥିଲେ, ସେ ବିଷୟରେ ହିମାଂଶୀ ଖୁଲାସା କରିଥିଲେ।