ଦୀପାବଳିରେ ଦୁବାଇ ଯିବାକୁ ପ୍ଲାନ କରିଥିବା ଭାରତୀୟ ସାବଧାନ! ପକେଟ୍‌ରୁ ଗଣିବେ ଏତିକି ଅର୍ଥରାଶି

ଦୀପାବଳିରେ ୟୁଏଇ ଯିବାକୁ ପ୍ଲାନ କରିଥିବା ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଅକ୍ଟୋବରରେ ବିମାନ ଭଡ଼ା ପାଇଁ ଆପଣଙ୍କୁ ଦୁଇ ଗୁଣା ଅର୍ଥରାଶି ଦେବାକୁ ପଡ଼ିପାରେ। ଏହାର କାରଣ ହେଲା, ଏହି ମାସରେ ଦଶହରା, ଦୀପାବଳି ଭଳି ବଡ଼ ଉତ୍ସବ ପଡ଼ୁଛି। ତେଣୁ ଏବେଠାରୁ ହୋଟେଲ ଏବଂ ବିମାନ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ଗଲାଣି, ଯାହାକୁ ନଜରରେ ରଖି ଅକ୍ଟୋବରରେ ବିମାନ ଭଡ଼ାକୁ ଦୁଇ ଗୁଣା ବଢ଼ାଇ ଦିଆଯାଇପାରେ।

ଦୁବାଇର କିଛି ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ହେଲା, ଉତ୍ସବ ଦିନମାନଙ୍କରେ ହୋଟେଲଗୁଡ଼ିକରେ ୧୦୦ ପ୍ରତିଶତ ବୁକିଂ ହୋଇଥାଏ। ଏଥର ଅକ୍ଟୋବର ୨୪ରୁ ଦୀପାବଳି ସେଲିବ୍ରେସନ ଆରମ୍ଭ ହେଉଥିବା ବେଳେ ଦଶହରା ପଡ଼ୁଛି ଅକ୍ଟୋବର ୫। ତେଣୁ ଏହି ସମୟରେ ସ୍କୁଲଗୁଡ଼ିକ ମଧ୍ୟ ପାଖାପାଖି ୨ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ।

ଟ୍ରାଭେଲ ଏକ୍ସପର୍ଟଙ୍କ କହିବା ହେଲା, ବିମାନ ଭଡ଼ା ଅକ୍ଟୋବରରେ ଦୁଇ ଗୁଣା ହୋଇଯିବ। ବର୍ତ୍ତମାନ ଦୁବାଇରେ ଏମିତି ବି କିଛି ହୋଟେଲ ଅଛି, ଯେଉଁମାନେ ଅକ୍ଟୋବରରେ ଆସୁଥିବା ବଡ଼ ଉତ୍ସବ ପାଇଁ ଏବେଠୁ ବୁକିଂ ଆରମ୍ଭ କରି ଦେଲେଣି। ଆଶା କରାଯାଉଛି, ଏଥର ଅଧିକ ସଂଖ୍ୟାରେ ଲୋକେ ଛୁଟି କାଟିବାକୁ ଦୁବାଇ ଯାତ୍ରା କରିବେ, ତେଣୁ ସେହି ଅନୁସାରେ ବିମାନ ଭଡ଼ା ଓ ହୋଟେଲ ବୁକିଂ ବି ବଢ଼ିବା ନିଶ୍ଚିତ। ଏକ୍ସପର୍ଟଙ୍କ ମତରେ, ଅକ୍ଟୋବର ମାସ ବମ୍ପର ହେବାକୁ ଯାଉଛି। ଏଥିପାଇଁ ଲୋକମାନେ ଏବେ ଠାରୁ ବୁକିଂ ଆରମ୍ଭ କରି ଦେବା ଉଚିତ୍‌।

ସାଧାରଣତଃ ୧୦ରୁ ୧୫ ସେପ୍ଟେମ୍ବର ଭିଡ଼ ଦିନଗୁଡ଼ିକରେ ଦିଲ୍ଲୀ ଏବଂ ମୁମ୍ବାଇ ରୁଟ୍‌ରେ ବିମାନ ଭଡ଼ା ୧୦୦୦ ଦିର୍‌ହମରୁ ୧୨୦୦ ଦିର୍‌ହମ ପର୍ଯ୍ୟନ୍ତ ରହିଥାଏ। ସେହି ଦୃଷ୍ଟିରୁ ଦୀପାବଳି ଓ ଦଶହରା ଭଳି ସ୍ୱତନ୍ତ୍ର ଉତ୍ସବ ଦିନରେ ଭଡ଼ା ୨,୦୦୦ ଦିର୍‌ହମ ଅତିକ୍ରମ କରିପାରେ।

ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ତାଜା ତଥ୍ୟ ମୁତାବକ, ଚଳିତ ବର୍ଷର ପ୍ରଥମ ୬ ମାସରେ ଭାରତୀୟ ଯାତ୍ରୀଙ୍କ ପାଇଁ ଦୁବାଇ ୧ ନମ୍ବର ଡେଷ୍ଟିନେସନ ରହି ଆସିଛି। ଏହି ସମୟରେ ପାଖାପାଖି ୪୦ ଲକ୍ଷ ଲୋକ ଦୁବାଇ ଯାତ୍ରା କରିଛନ୍ତି। ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରରୁ ସବୁଠାରୁ ଅଧିକ ଯାତ୍ରୀ ଦୁବାଇ ଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ବର୍ଷର ପ୍ରତ୍ୟେକ ମାସରେ ଭାରତ ଏବଂ ୟୁଏଇ ମଧ୍ୟରେ ବିମାନ ଯାତାୟାତ ପ୍ରାୟତଃ ବ୍ୟସ୍ତବହୁଳ ରହିଥାଏ। ଯଦି କୌଣସି ଖାସ୍‌ ଉତ୍ସବ ରୁହେ, ତେବେ ଏହା ଶିଖର ଛୁଇଁ ଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.