କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବର୍ତ୍ତମାନ କାର ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ

ସଡ଼କ ସୁରକ୍ଷାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ଆସୁଛି। ବର୍ତ୍ତମାନ ମଧ୍ୟ ଏହି ବାବଦରେ ଏକ ବଡ଼ ଖବର ଆସିଛି, ଯାହା ମୁତାବକ କାରରେ ବସିଥିବା ସମସ୍ତ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର କାରରେ ବସିଥିବା ସମସ୍ତଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିଛନ୍ତି।

 

ବର୍ତ୍ତମାନ କାରରେ ଡ୍ରାଇଭିଂ ସିଟ୍ ଏବଂ ପଛ ସିଟରେ ବସିଥିବା ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ କିଛି ଲୋକ କେବଳ ଆଗ ସିଟ୍ ରେ ବସିଥିଲେ ହିଁ ସିଟ୍ ବେଲଟ୍ ପିନ୍ଧନ୍ତି କିନ୍ତୁ ବର୍ତ୍ତମାନ କାରର ପଛ ସିଟରେ ବସିଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ପରିବହନ ଆଇନ ଅନୁଯାୟୀ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ଘୋଷଣା କରିଛନ୍ତି। ଖାସକରି ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସରକାରଙ୍କ ଏହି ବଡ଼ ଘୋଷୋଣା କରିଛନ୍ତି।

Nitin Gadkari
Picture credit – India tv news

କେନ୍ଦ୍ର ପରିବହନ ମନ୍ତ୍ରୀ ଟ୍ୱିଟ୍ କରି ଏହି ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ କାରରେ ବସିଥିବା ସମସ୍ତ ସଦସ୍ୟଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡ଼ିବ ଓ ଏହା ବାଧ୍ୟତାମୂଳକ। ତାଙ୍କ ଟୁଇଟ୍‌ରେ ବିଜନେସ୍ ଷ୍ଟାଣ୍ଡାର୍ଡ ସହ ବାର୍ତ୍ତାଳାପର ଏକ ଭିଡିଓ ପରିବହନ ମନ୍ତ୍ରୀ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ ବଡ଼ କିମ୍ବା ଛୋଟ ସମସ୍ତ କାରରେ ବସିଥିବା ସମସ୍ତଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ସିଟ୍ ବେଲ୍ଟ ନ ପିନ୍ଧିଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ହୁଏତ ଏହାଠାରୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଯଦି କାରର ପଛ ସିଟରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ, ତେବେ ଧରାପଡିଲେ ତାଙ୍କୁ ଜରିମାନା ଦେବାକୁ ପଡିବ ଓ ଏହା ସହିତ ତାଙ୍କ ବିରୁଦ୍ଧରେ କଡ଼ା ଅନୁଷ୍ଠାନ ନିଆଯିବ।

 

ପଛ ସିଟରେ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ସର୍ବନିମ୍ନ ଜୋରିମାନା ୧୦୦୦ ଅଛି। ତେବେ ତିନି ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। କାର୍ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସରକାରଙ୍କ ଏହି ଆଦେଶ ସାମ୍ନାକୁ ଆସିଛି। ରବିବାର ସଡକ ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ ଯେ ସାଇରସ୍ ମିସ୍ତ୍ରୀ ବିନା ସିଟ୍ ବେଲ୍ଟରେ ପଛ ସିଟରେ ବସିଥିଲେ।

ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଥିବା ପାଲଘର ନିକଟ ସୂର୍ଯ୍ୟ ନଦୀ ବ୍ରିଜରେ ରୋଡ ଡିଭାଇଡର ସହ ସାଇରସଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ସାଇରସଙ୍କ ସହ କାରରେ ଚାରି ଜଣ ଲୋକ ଥିଲେ। ସାଇରସ୍ ପଛ ସିଟରେ ବସିଥିଲେ। କିନ୍ତୁ ସେ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଡିଭାଇଡରକୁ ଧକ୍କା ଦେବା ପରେ ତାଙ୍କ କାର ଓଲଟି ପଡ଼ିବା ମାତ୍ରେ ସେ ପଛ ପଟ ସିଟ୍ ସହିତ ମାଡ଼ ହୋଇ ତଳେ ପଡ଼ିଯାଇଥିଲେ। ଏହି କାରଣରୁ ସେ ମୁଣ୍ଡରେ ଗଭୀର ଆଘାତ ପାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ ସିଟ୍ ବେଲ୍ଟ ନ ପିନ୍ଧି ପ୍ରତିଦିନ ୪୧ ଜଣଙ୍କର ମୃତ୍ୟୁ ହେଉଛି।

ଜୁଲାଇ ୧, ୨୦୧୯ ଠାରୁ ସରକାର କାର୍ କମ୍ପାନୀଗୁଡିକ ପାଇଁ ସିଟ୍ ବେଲ୍ଟ ରିମାଇଣ୍ଡର୍ (ଆଲାର୍ମ) ସ୍ଥାପନ କରିବା ବାଧ୍ୟତାମୂଳକ କରିଥିଲେ। କିନ୍ତୁ ଏହା କେବଳ ଆଗ ସିଟ୍ ପାଇଁ । ବିଶେଷଜ୍ଞଙ୍କ ଅନୁଯାୟୀ, ପଛ ସିଟ୍ ବେଲ୍ଟ ପାଇଁ ମଧ୍ୟ ଏକ ଆଲାର୍ମ ମଧ୍ୟ ରହିବା ଉଚିତ୍। ବର୍ତ୍ତମାନ ସରକାର ଏହାକୁ ଏକ ଆଇନ କରିବାକୁ ଯାଉଛନ୍ତି। ଆପଣ ଜାଣିବା ଉଚିତ୍ ଯେ ୨୦୨୦ ମସିହାରେ ଦେଶରେ ୧୫,୧୪୬ ଲୋକ ସିଟ୍ ବେଲ୍ଟ ନ ପିନ୍ଧି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତେଣୁ ଆପଣ ଯେକୌଣସି ଗାଡ଼ି ଚଲାଉଛନ୍ତି, ସେଥି ପାଇଁ ସତର୍କ ରହି ଗାଡ଼ି
ଚଲାଇବା ଆବଶ୍ୟକ। ହେଲ୍ମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିବା ମଧ୍ୟ ନିହାତି ଜରୁରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.