ରାଜସ୍ଥାନର ବିକାନେରରୁ ଆସିଲା ଆଶ୍ଚର୍ଯ୍ୟଜନକ ଚିତ୍ର; ଖୋଲାମେଲାରେ ପଡ଼ିଛି ଲମ୍ପି ଭାଇରସ୍‌ରେ ଆକ୍ରାନ୍ତ ହଜାର ହଜାର ଗୋରୁଙ୍କ ମୃତଦେହ

ଦେଶର ଅନେକ ରାଜ୍ୟରେ ଲମ୍ପି ଭାଇରାସ୍‌ର ଆତଙ୍କ ଦେଖିବାକୁ ମିଳିଛି। ଏହି ସ୍କିନ୍‌ ଭାଇରସ୍‌ କବଳରେ ଆସି ଶହ ଶହ ଗୋରୁ ମୃତ୍ୟୁମୁଖରେ ପଡ଼ିିଲେଣି, ଯାହାଫଳରେ ଏହାର ଗୁରୁତର ପ୍ରଭାବ ଦୁଗ୍ଧ ବ୍ୟବସାୟ ଉପରେ ପଡ଼ିଛି। ଏଥିଯୋଗୁ ବ୍ୟବସାୟୀଙ୍କୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ୁଛି। କେବଳ ରାଜସ୍ଥାନର ବିକାନେର୍‌ରେ ୬୦୦୦ରୁ ଅଧିକ ଗାଈ ଲମ୍ପି ଭାଇରସ୍‌ କବଳକୁ ଆସି ସାରିଛନ୍ତି। ଇତି ମଧ୍ୟରେ ଏଠାକାର ଏକ ଡମ୍ପିଂୟାର୍ଡରୁ ଅତି ଆଶ୍ଚର୍ଯ୍ୟଜନକ ଫଟୋ ସାମ୍ନାକୁ ଆସିଛି।

ଉତ୍ତର ଭାରତର କେତେକ ରାଜ୍ୟରେ ଲମ୍ପି ଭାଇରସ୍‌ କୋକୁଆ ଭୟ ସୃଷ୍ଟି କରିଛି। ରାଜସ୍ଥାନରେ ଏ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଗାଈ ଲମ୍ପି ଭାଇରସ୍‌ରେ ପ୍ରାଣ ହରାଇ ସାରିଲେଣି। ସେପଟେ ୧୦ ଲକ୍ଷରୁ ଅଧିକ ଗାଈ ବର୍ତ୍ତମାନ ଏଥିରେ ପୀଡ଼ିତ ଅଛନ୍ତି। ବିକାନେରର ଜୋଡ୍‌ବିଡ୍‌ ଡମ୍ପିଂୟାର୍ଡରୁ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ହଜାର ହଜାର ଗାଈଙ୍କ ମୃତଦେହ ଖୋଲାମେଲାରେ ପଡ଼ିଥିବାର ଦେଖାଯାଉଛି।

୫୬୪୬ ହେକ୍ଟର ଜମିରେ ପରିବ୍ୟାପ୍ତ ଜୋଡ୍‌ବିଡ୍‌ ଡମ୍ପିଂୟାର୍ଡରେ ଗାଈମାନଙ୍କ ମୃତଦେହ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିଛି। ସେଗୁଡ଼ିକ ଏବେ ସଢ଼ିବାକୁ ଲାଗିଥିବା ବେଳେ ଆଖାପାଖର ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ପଚା ଦୁର୍ଗନ୍ଧ ବ୍ୟାପି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଖୋଲା ଡମ୍ପିଂୟାର୍ଡରେ ପଡ଼ିଥିବା ଗାଈଗୋରୁଙ୍କ ପଚାସଢ଼ା ମୃତଦେହକୁ ନେଇ ଏବେ ସରକାରୀ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ହୋଇଛି।

କେବଳ ବିକାନେର ସହରରେ ୬ ହଜାରରୁ ଅଧିକ ଗାଈ ଏହି ମାରାତ୍ମକ ଭାଇରସ୍‌ କବଳରେ ଫସିଛନ୍ତି। ଏହାଛଡ଼ା ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟ ପ୍ରଦେଶ, ହରିୟାଣା ଓ ପଞ୍ଜାବରେ ମଧ୍ୟ ଏହାର ଆତଙ୍କ ଦେଖିବାକୁ ମିଳିଛି। କହି ରଖୁଛୁ, ଲମ୍ପି ଏକ ସ୍କିନ୍‌ ଭାଇରସ୍‌, ଯାହା ସଂସ୍ପର୍ଶରେ ଆସି ହଜାର ହଜାର ଗୋରୁ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଶହ ଶହ ଦୁଗ୍ଧ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଲମ୍ପି ଭାଇରସ୍‌ରେ ସଂକ୍ରମିତ ପଶୁମାନଙ୍କ ନାକ ଓ ମୁହଁରୁ ଲଗାତାର ପାଣି ଓ ଲାଳ ବାହାରୁଛି। ପ୍ରବଳ ଜ୍ୱର ଲାଗି ରହୁଛି। ଏପରି ସ୍ଥିତିରେ ପଶୁମାନେ ଭୋଜନ ଛାଡ଼ି ଦେଉଛନ୍ତି। ଲମ୍ପି ଭାଇରସ୍‌ରେ ସଂକ୍ରମିତ ପଶୁମାନଙ୍କ ଚମଡ଼ାରେ ପ୍ରଥମେ ଛୋଟ ଛୋଟ ଫୋଟକା ବାହାରି ପଡ଼ୁଛି। ପରେ ସେଗୁଡ଼ିକ ଘା’ରେ ପରିଣତ ହେଉଛି। ଏହା ସର୍ବାଧିକ ଭାବେ ଗୃହପାଳିତ ପଶୁଙ୍କଠାରେ ଦେଖିବାକୁ ମିଳୁଛି ଏବଂ ସେମାନଙ୍କ ମୁହଁ, ବେକ ଓ ଗୁପ୍ତାଙ୍ଗ ପାଖରେ ଫୋଟକା ବାହାରୁଛି।

କିଛି ଦିନ ତଳର ଏକ ରିପୋର୍ଟ ମୁତାବକ, ଦେଶର ୫ଟି ରାଜ୍ୟରେ ଏହି ମାରାତ୍ମକ ରୋଗ ଦେଖିବାକୁ ମିଳିଛି। ସେଥି ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ରହିଛି ରାଜସ୍ଥାନ। ରାଜ୍ୟର ୧୧ ଜିଲ୍ଲା ଗମ୍ଭୀର ରୂପେ ପ୍ରଭାବିତ ହୋଇଥିବାରୁ ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ମୁଖ୍ୟତଃ ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ ସରକାର ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.