ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସପିଟାଲରେ ଭର୍ତ୍ତି ହେଲେ ଅନ୍ନୁ କପୁର, ଡାକ୍ତର କହିଲେ ସୁସ୍ଥ ଅଛନ୍ତି

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫିଲ୍ମ ବଲିଉଡର ଜଣାଶୁଣା ଅଭିନେତା ଅନ୍ନୁ କପୁର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଛାତି ସମସ୍ୟା ପାଇଁ ଅଭିନେତାଙ୍କୁ ଆଡମିଶନ କରାଯାଇଥିବା ସାର୍ ଗଙ୍ଗା ରାମ ହସ୍ପିଟାଲର ଚେୟାରମ୍ୟାନ୍ (ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ) ଅଜୟ ସୂରୂପ କହିଛନ୍ତି। ତାଙ୍କୁ ହସପିଟାଲର କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ରଖାଯାଇଛି।

ହସପିଟାଲ ପ୍ରଶାସନ ପକ୍ଷରୁ କୁହାଯାଇଛି, ଜଣାଶୁଣା ଅଭିନେତା ତଥା ଗାୟକ ଅନ୍ନୁ କପୁରଙ୍କୁ ଗୁରୁବାର ସକାଳେ ଛାତିରେ ଯନ୍ତ୍ରଣା ଯୋଗୁଁ ସାର ଗଙ୍ଗାରାମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଏବେ କାର୍ଡିଓଲୋଜି ବିଭାଗରେ ଡା. ସୁଶାନ୍ତ ବଟ୍ଟଲଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ।

ଅନ୍ନୁ କପୁର ଅମିତାଭ ବଚ୍ଚନ ଏବଂ ଶଶି କପୁରଙ୍କ ସହିତ ଫିଲ୍ମ ‘କାଲା ପଥର’ରେ ବଲିଉଡ ଡେବ୍ୟୁ କରିଥିଲେ । ବଲିଉଡରେ ଅନେକ ହିଟ୍‌ ଫିଲ୍ମରେ ନିଜ ଅଭିନୟ ପାଇଁ ସେ ପରିଚିତ । ସେସବୁ ଫିଲ୍ମ ମଧ୍ୟରେ ରହିଛି ମିଃ ଇଣ୍ଡିଆ, ତେଜାବ, ଘାୟଲ, ରାମ ଲଖନ, ଡର ଇତ୍ୟାଦି । ୯୦ ଦଶକରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅନ୍ତାକ୍ଷରୀରେ ସେ ଉପସ୍ଥାପକ ଭାବେ କାମ କରି ନାଁ କମାଇଥିଲେ । ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭିକ୍କି ଡୋନର, ୨୦୧୭ରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ୧୦୦ରୁ ଅଧିକ ଫିଲ୍ମ ଏବଂ ଟିଭି ଶୋରେ କାମ କରିଛନ୍ତି।

ଅନ୍ନୁ କପୁର ନିଜ କ୍ୟାରିଅରରେ ୨ଟି ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ, ୧ ଫିଲ୍ମପେୟାର ଆଓ୍ଵାର୍ଡ ଏବଂ ୨ଟି ଇଣ୍ଡିଆନ ଟେଲିଭିଜନ ଏକାଡେମୀ ଆଓ୍ଵାର୍ଡ ଜିତିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.