ମୃତ୍ୟୁର ଦଶ ଦିନ ପରେ ବି ଚର୍ଚ୍ଚାରେ ରହିଛନ୍ତି ସୁଶାନ୍ତ ସିଂହ ରାଜପୁତ, ମରିଛନ୍ତି ‘ASPHYXIA’ରେ

ମୁମ୍ବାଇ : ମୃତ୍ୟୁର ଦଶଦିନ ପରେ ଆସିଲା ବଲିଉଡ୍ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ । ପୂର୍ବରୁ କେବଳ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିଲା । ଏବେ କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି । ସେ ସମ୍ପର୍କରେ ବିସ୍ତତ ଭାବେ ଜାଣିବା ପାଇଁ ତାଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଏବେବି ଭିସେରା ରିପୋର୍ଟ ଆସିବା ବାକି ଅଛି । ଅନ୍ୟପକ୍ଷରେ ଫାଶୀ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ।
ମୃତ୍ୟୁ ପରେ ସୁଶାନ୍ତଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ତିନି ଜଣ ଡାକ୍ତର ଦେଇଥିଲେ । ହେଲେ ଏହି ଫାଇନାଲ୍ ରିପୋର୍ଟ ଦେଇଛନ୍ତି ୫ ଜଣ ଡାକ୍ତର । ସେମାନେ ବିସ୍ତାର ଭାବେ ରିପୋର୍ଟରେ ସବୁ କିଛି ଉଲ୍ଲେଖ କରିଛନ୍ତି । ଡାକ୍ତରଙ୍କ ଅନୁସାରେ ‘ASPHYXIA’ ଯୋଗୁଁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଛି । ଏହାର ଅର୍ଥ ହେଉଛି ଶରୀରକୁ ଅକ୍ସିଜେନ୍ ବା ଅମ୍ଳଯାନ ପର‌୍ୟ୍ୟାନ୍ତ ପରିମାଣରେ ମିଳି ନାହିଁ ।
ଗତ ୧୪ ତାରିଖ ଦିନ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା । ଏହା ପରେ ସାରା ଦେଶରେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି ଯେ ଏଯାଏ ଥମିବାର ନାଁ ନେଉନାହିଁ । ଏହି ଉଦୀୟମାନ ଯୁବ ଅଭିନେତାଙ୍କ ପାଇଁ ସାରା ଦେଶ ଦୁଃଖ କରିଛି । ସୁଶାନ୍ତ ଡିପ୍ରେସନ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତଥାପି କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଘଟଣାର ତଦନ୍ତ କରୁଛି । କାରଣ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କିଛି ଲୋକଙ୍କର ହାତ ରହିଛି ବୋଲି ଜୋରଦାର ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.