ଋଣରେ ବୁଡ଼ି ରହିଥିଲେ ଅଭିନେତା କମଲ ହାସନ୍‌, ଏବେ ଫିଲ୍ମ ସୁପରହିଟ୍‌ ହେବା ପରେ ସୁଝିବେ ଲୋନ୍‌

ଏବେ କମଲ ହାସନ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ଦିନ ପରେ ବଡ଼ ପରଦାରେ ତାଙ୍କର ଏକ ଫିଲ୍ମ ସୁପରଡୁପର ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମ ବିକ୍ରମର ସଫଳତା ପରେ ଏବେ କମଲ ହାସନଙ୍କ ଭଲ ସମୟ ଫେରିଛି ଓ ଏ ନେଇ ଏକ ଇଣ୍ଟରଭ୍ୟୁରେ ସେ ନିଜେ ଖୁଲାସା କରିଛନ୍ତି।

ସୁପରଷ୍ଟାର କମଲ ହାସନ୍‌, ବିଜୟ ସେତୁପତି ଓ ଫହାଦ ଫାସିଲଙ୍କ ଅଭିନୀତ ତଥା ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବିକ୍ରମ’ ଏବେ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ସାଉଣ୍ଟିଛି। ଖୁବ୍‌ କମ୍‌ ସମୟରେ ଏହି ଫିଲ୍ମ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ରିପୋର୍ଟ ମୁତାବକ, ଏହି ଫିଲ୍ମ ରିଲିଜ୍‌ର ପାଖାପାଖି ୧୧-୧୨ ଦିନରେ ବିଶ୍ୱବ୍ୟାପୀ ୩୨୨ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏହା ପରଠାରୁ କମଲ ହାସନ୍‌ଙ୍କ ଖୁସି କହିଲେ ନ ସରେ। ଏହି ଫିଲ୍ମକୁ କମଲ ହାସନ୍‌ଙ୍କ ପ୍ରଡକ୍ସନ୍‌ ବ୍ୟାନର ରାଜ କମଲ ଫିଲ୍ମସ ତିଆରି କରିଛି। ଏଣୁ ଏହା କମଲ ହାସନ୍‌ଙ୍କ ପାଇଁ ଏକ ବଡ଼ ସଫଳତା।

ଏକ ଇଣ୍ଟରଭ୍ୟୁରେ ସୁପରଷ୍ଟାର କମଲ ହାସନ୍‌ କହିଥିଲେ, ଏବେ ମୁଁ ସବୁ ଋଣ ପରିଶୋଧ କରିପାରିବି। ନିଜ ପସନ୍ଦର କଣ୍ଟେଣ୍ଟରେ କାମ କରିପାରିବି। ମୋ ପରିବାର ଓ ସାଙ୍ଗମାନଙ୍କୁ ବି କିଛି ଦେଇପାରିବି। ଏ ଅବସରରେ ଫିଲ୍ମ ବିକ୍ରମର ସଫଳତା କଥା କହି ସେ କହିଥିଲେ ଯେ ଫିଲ୍ମ ତିଆରି କରିବା ପୂର୍ବରୁ ଦିନେ ସେ କହିଥିଲେ ଯେ ମୋ ଫିଲ୍ମ ୩୦୦ କୋଟି ଛୁଇଁବ। ସେତେବେଳେ କେହି ତାଙ୍କ କଥାକୁ ବିଶ୍ୱାସ କରୁନଥିଲେ। କିନ୍ତୁ ଏବେ ତାଙ୍କ କଥା ସତ ପ୍ରମାଣିତ ହୋଇଛି।

ତେବେ ଫିଲ୍ମର ବଡ଼ ସଫଳତା ପରେ ନିର୍ମାତା ତଥା ଲିଡ୍‌ ଅଭିନେତା ବିକ୍ରମ ଓରଫ୍‌ କମଲ ହାସନ୍‌ ଫିଲ୍ମର ଟିମ୍‌କୁ ଦାମୀ ଉପହାର ବାଣ୍ଟିବା ଆରମ୍ଭ କରି ଦେଇଥିଲେ। କମଲ ହାସନ ଫିଲ୍ମର ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କୁ ଏକ ଲଗ୍‌ଜ୍ୟୁରୀ କାର୍‌ ଗିଫ୍ଟ ଦେଇଥିଲେ। ସେହିପରି ଅଭିନେତା ସୂର୍ଯ୍ୟାଙ୍କୁ ରୋଲେକ୍ସ ବ୍ରାଣ୍ଡ୍‌ର ଦାମୀ ଘଣ୍ଟା ଦେଇଥିଲେ। ଏଥିସହ ଫିଲ୍ମର ପାଖାପାଖି ୧୨ ଆସିଷ୍ଟାଣ୍ଟ ନିର୍ଦ୍ଦେଶକଙ୍କୁ କମଲ ହାସନ୍‌ ଆପାଚୀ ବାଇକ୍‌ ଉପହାରରେ ଦେଇଥିଲେ।

Also Read: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର, ବନ୍ଦ ହେଲା ଏହି ସୁବିଧା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.