ସୁବାସ ଏବଂ ସାଜିଦ୍ ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ମାୟାନଗରୀରେ ବଢୁଛି #Me Too ମୁଭମେଣ୍ଟ

ବଲିଉଡ୍‌ରେ ତେଜିବାରେ ଲାଗିଛି #Me Too ମୁଭମେଣ୍ଟ । ଜଣଙ୍କ ପରେ ଜଣେ ହାଇପ୍ରୋଫାଇଲ୍‌ ସେଲିବ୍ରିଟିଙ୍କ ପୋଲ ଖୋଲୁଛି । ଯୌନ ଶୋଷଣ ଅଭିଯୋଗ ହେଉଛି । ଏବେ ବଲିଉଡ୍‌ର ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ସୁବାସ ଘାଇଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏନେଇ ଜଣେ ମହିଳା ଟ୍ଵିଟ୍‌ କରି ସୁବାସ ଘାଇଙ୍କ ନାଁରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ତେବେ ସେ ତାଙ୍କ ନାଁ ଗୋପନ ରଖିଛନ୍ତି ।

ଅଭିଯୋଗ ଆଣିଛନ୍ତି, ସୁବାସ ଘାଇ ପାନୀୟରେ ନିଶା ମିଶାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ଯେତେବେଳେ ସୁବାସ ଘାଇଙ୍କ ସହ ଗୋଟିଏ ଫିଲ୍ମରେ କାମ କରୁଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ସେପଟେ ଅଭିଯୋଗକୁ ସୁବାସ ଘାଇ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଜଣାଶୁଣା ଲୋକଙ୍କ ଛବି ଖରାପ କରିବା ଏବେ ଏକ ଫ୍ୟାସନ୍‌ ହୋଇଛି ।

sona mohapatraସେହିପରି ଅନୁ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସୋନା ମହାପାତ୍ର। ଟୁଇଟ କରି ଅନୁ ମଲ୍ଲିକଙ୍କୁ ଜଣେ ଅଭ୍ୟାସଗତ ଅପରାଧି କହିଛନ୍ତି ସୋନା। କୈଲାଶଙ୍କ ପରି ଅନୁ ମଧ୍ୟ ଜଣେ ଅପରାଧୀ ବୋଲି ଟୁଇଟରେ କହିଛନ୍ତି ସୋନା । ଏହା ପୂର୍ବରୂ ସେ କୈଳାସ ଖେରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ । ସୋନା ମହାପାତ୍ର ଟ୍ଵିଟ୍‌ କରି କରିଥିଲେ , ମୁମ୍ବାଇର ପୃଥ୍ଵୀ କାଫେରେ କୈଳାସ ଖେର ତାଙ୍କ ସହ ଅସଦାଚରଣ କରିଥିଲେ ।

ଏକ କନସର୍ଟ ନେଇ କଥା ହେବା ବେଳେ କୈଳାସ ଖେର ତାଙ୍କ ଦେହରେ ହାତ ମାରିଥିଲେ । ସେ ବହୁତ ସୁନ୍ଦର ବୋଲି କହିଥିବା ସୋନା ମହାପାତ୍ର ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା କେତେ ଦିନ ତଳର, ସେନେଇ କିଛି ସ୍ପଷ୍ଟ ହୋଇନି । ସେହିପରି କୈଳାସ ଖେରଙ୍କ ବିରୋଧରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଭିଯୋଗ କରିଛନ୍ତି । ଜଣେ ଫଟୋ ଜର୍ଣ୍ଣାଲିଷ୍ଟ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ କୈଳାସ ଖେରଙ୍କ ଘରକୁ ଇଣ୍ଟରଭ୍ୟୁ ପାଇଁ ଯାଇଥିବା ବେଳେ ଅସଦାଚରଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ।

ସେହିପରି #Me Too ମୁଭମେଣ୍ଟରେ ସାଜିଦ ଖାନ୍‌ଙ୍କ ନାଁରେ ବି ଆସିଛି ସଙ୍ଗୀନ ମାମଲା । ଜଣେ ମହିଳା ସାମ୍ବାଦିକାଙ୍କ ସହ ୩ଜଣ ସାଜିଦଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନାର ଅଭିଯୋଗ। ମଡେଲ ତଥା ଆକ୍ଟ୍ରେସ ସଲୋନୀ ଚୌପ୍ରା ଅଭିଯୋଗ କରିଛନ୍ତି, ୨୦୧୧ମସିହାରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିଲା ବେଳେ, ସାଜିଦ ତାଙ୍କୁ ମାନସିକ ଏବଂ ଯୌନ ନିର୍ଯାତନା ଦେଉଥିଲେ। ମଧ୍ୟରାତ୍ରିରେ ଫୋନ କରିବା ସହ ବିକିନ ପିନ୍ଧା ଫଟୋ ପଠାଇବାକୁ ତାଙ୍କୁ ସାଜିଦ ଖାଁ ବାଧ୍ୟ କରୁଥିଲେ ବୋଲି ସଲୋନି ଚୋପ୍ରା ଅଭିଯୋଗ କରିଛନ୍ତି ।

ସେହିପରି  ଫାଷ୍ଟ ପୋଷ୍ଟ ପାଇଁ ଲେଖୁଥିବା ମହିଳା ସାମ୍ବାଦିକା କରିଷ୍ମା ଉପାଧ୍ୟୟ ଅଭିଯୋଗ କରିଛନ୍ତି, ସାଜିଦ ଖାଁ ଜଣେ ଲମ୍ପଟ। ଇଣ୍ଟରଭିୟ୍ୟୁ ଦେବାକୁ ଡାକି ତାଙ୍କୁ ସାଜିଦ ଜୋର ଜବରଦସ୍ତ କିସ୍ କରିଥିଲେ। ତେବେ ସାଜିଦ ଖାନଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ହାଉସଫୁଲ୍ ୪ ମୁଭି ଉଛାଡିଛନ୍ତି ଅକ୍ଷୟ କୁମାର । ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

bikashମହିଳା ସଶକ୍ତୀକରଣକୁ ନେଇ ନିର୍ମିତ ସିନେମା କୁଇନ୍‌ର ନିର୍ଦ୍ଦେଶକ ବିକାଶ ବହଲ। ସେ ମଧ୍ୟ #Me Too ମୁଭମେଣ୍ଟର ଚକ୍ରବ୍ୟୂହ ଭିତରେ । ଫାଣ୍ଟମ ପ୍ରଡକ୍ସନ ହାଉସରେ କାମ କରୁଥିବା ଜଣେ ମହିଳା କର୍ମଚାରୀ, ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ସଂପୃକ୍ତଙ୍କ ମହିଳାଙ୍କ କଥାକୁ ସମର୍ଥନ କରିଛନ୍ତି, କୁଇନର ତାରକା କଙ୍ଗନା ରଣାୱତ । ଫାଣ୍ଟମ ପ୍ରଡକ୍ସନ ହାଉସର ସହ ପ୍ରତିଷ୍ଠାତା ହେଉଛନ୍ତି, ଅନୁରାଗ କାଶ୍ୟପ, ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମନ୍ତୋନ ଓ ବିକାଶ ବହଲ । ଏହି ଅଭିଯୋଗ ପରେ ତୁରନ୍ତ ଦୁଃଖ ପ୍ରକାଶ କରି ଫାଣ୍ଟମ ପ୍ରଡକ୍ସନ ହାଉସ ବନ୍ଦ କଥା କହିଛନ୍ତି ଅନୁରାଗ କାଶ୍ୟପ ।

ଗୌତମ ଅଧିକାରୀଙ୍କ ନାଁରେ ଅଭିଯୋଗ

me too

ସେହିପରି ଜଣେ ମହିଳା ସାମ୍ବାଦିକ, ଟାଇମ୍ସ ଅଫ ଇଣ୍ଡିଆରେ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଡିଟର ତଥା ଡିଏନ୍‌ଏରେ ପୂର୍ବତନ ଏଡିଟର ଇନ୍‌ ଚିଫ ଗୌତମ ଅଧିକାରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏ ପ୍ରସଙ୍ଗରେ ଅଧିକାରୀ କିନ୍ତୁ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଧିରେଧିରେ ହୋଇ ମହିଳା ମୁହଁ ଖୋଲି, ହାଇ ଆଣ୍ଡ ପାୱରଫୁଲ୍‌ ବ୍ୟକ୍ତିଙ୍କୁ କାଠଗଡ଼ାରେ ଠିଆ କରାଉଛନ୍ତି। ହଲିଉଡ୍‌ରେ ଗତ ବର୍ଷ ଆରମ୍ଭ ହୋଇଥିଲା #Me Too ମୁଭମେଣ୍ଟ। ଏହା ସାରା ବିଶ୍ୱକୁ ବ୍ୟାପିଛି । ଏବେ ଭାରତରେ ମଧ୍ୟ ମହିଳା, ନିଜସ୍ୱ #Me Too ମୂହୁର୍ତ୍ତ ସୃଷ୍ଟି କରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜ ସହ ମୁକାବିଲା କରିବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି।

ପଦ ହରାଇଲେ ହିନ୍ଦୁସ୍ତାନ ଟାଇମ୍ସର ବ୍ୟୁରୋ ଚିଫ୍‌ ତଥା ପଲିଟିକାଲ୍‌ ଏଡିଟର ପ୍ରଶାନ୍ତ ଝା 

#Me Too ଅଭିଯାନ ପରେ ମହିଳା ଅସଦାଚରଣ ନେଇ ଅନେକ ଘଟଣା ସାମ୍‌ନାକୁ ଆସୁଛି । ଅସଦାଚରଣ ଅଭିଯୋଗରେ ପଦ ହରାଇଛନ୍ତି ହିନ୍ଦୁସ୍ତାନ ଟାଇମ୍ସର ବ୍ୟୁରୋ ଚିଫ୍‌ ତଥା ପଲିଟିକାଲ୍‌ ଏଡିଟର ପ୍ରଶାନ୍ତ ଝା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ପ୍ରଶାନ୍ତ ଝା ଜଣେ ରିପୋର୍ଟର ଭାବରେ କାମ କରିବେ । ଜଣେ ପୂର୍ବତନ କର୍ମଚାରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଇନଜୀବୀ ଅବନ୍ତିକା ମେହେଟ୍ଟାଙ୍କୁ ହ୍ଵାଟ୍ସଆପ୍‌ରେ ଅଶାଳୀନ ମେସେଜ୍‌ ବି କରିଥିଲେ ପ୍ରଶାନ୍ତ ଝା । #Me Too କ୍ୟାମ୍ପେନ୍‌ରେ ତନୁଶ୍ରୀ ମୁହଁ ଖୋଲିବା ପରେ ପ୍ରଶାନ୍ତଙ୍କ ସମ୍ପର୍କରେ ଖୁଲାସା କରିଥିଲେ ଅବନ୍ତିକା । ପ୍ରଶାନ୍ତ ପଠାଇଥିବା ଆପତ୍ତିଜନକ ମେସେଜକୁ ସେ ପୋଷ୍ଟ କରିଥିଲେ । ଏହାପରେ ପ୍ରଶାନ୍ତଙ୍କ ବିରୋଧରେ ଆଗକୁ ଆସିଥିଲେ ଜଣେ ପୂର୍ବତନ କର୍ମଚାରୀ । ଶେଷରେ ସେ ହିନ୍ଦୁସ୍ତାନ ଟାଇମ୍ସର ପଲିଟିକାଲ୍‌ ଏଡିଟର ଓ ଚିଫ୍‌ ବ୍ୟୁରୋ ପଦରୁ ବିଦା ହୋଇଛନ୍ତି ପ୍ରଶାନ୍ତ ଝା ।

ସେପଟେ #Me Too ମୁଭମେଣ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାଜରେ ମହିଳାମାନଙ୍କୁ ଉଚିତ ସମ୍ମାନ ମିଳିବା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.