ଶାହାରୁଖଙ୍କୁ ପାକିସ୍ତାନର ବଡ଼ ଅଫର୍‌, ‘ଭାରତ ଛାଡ଼ି ପରିବାର ସହ ଏଠାକୁ ଚାଲି ଆସ’

ଭାରତ ଛାଡ଼ି ପାକିସ୍ତାନକୁ ଆସିବାକୁ ଶାହାରୁଖ ଖାନ୍‌ଙ୍କୁ ନିମନ୍ତ୍ରଣ ଦେଲେ ପାକ୍‌ ନ୍ୟୁଜ୍‌ ଆଙ୍କର। ଭାରତ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ପାକିସ୍ତାନରେ ତାଙ୍କୁ ନ୍ୟାୟ ମିଳିବ କହି ପାକିସ୍ତାନର ଜଣେ ନ୍ୟୁଜ୍‌ ଆଙ୍କର କିଙ୍ଗ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଡ୍ରଗ୍ସ ମାମଲାରେ ଗିରଫ ହୋଇ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଏବେ ଜେଲରେ ଅଛନ୍ତି। ଏନ୍‌ସିବି ଅଭିଯୋଗ କରିଛି ଯେ ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ବେପାର କରୁଥିଲେ। ଏଣୁ ବାରମ୍ବାର ଆର୍ଯ୍ୟନ୍‌ଙ୍କ ଜାମିନ୍‌ ଖାରଜ ହେଉଛି। ଏଭଳି ସ୍ଥିତିରେ ଶାହାରୁଖ ଖାନ୍‌ଙ୍କ ସମେତ ପୂରା ପରିବାର ଚିନ୍ତାରେ ଅଛନ୍ତି। ତେବେ ଇତି ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଶାହାରୁଖଙ୍କୁ ସମର୍ଥନ ମିଳିବା ଆରମ୍ଭ ହୋଇଛି। ପାକିସ୍ତାନର ସମସ୍ତ ଷ୍ଟାର, ସେଲିବ୍ରିଟି ଏମିତିକି ନ୍ୟୁଜ୍‌ ଆଙ୍କର ମଧ୍ୟ ଶାହାରୁଖଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି।

ଏବେ ପାକିସ୍ଥାନର ଜଣେ ଜଣାଶୁଣା ଆଙ୍କର ଓ୍ଵକାର ଜାକା ମଧ୍ୟ କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରି ଟ୍ଵିଟ୍‌ କରିଛନ୍ତି। ଓ୍ଵକାର ଟ୍ଵିଟ୍‌ କରି ଲେଖିଛନ୍ତି, ‘ଶାହାରୁଖ ଖାନ୍‌ ସାର, ଆପଣ ଭାରତ ଛାଡ଼ି ପରିବାର ସହ ପାକିସ୍ତାନ ଚାଲି ଆସନ୍ତୁ। ନରେନ୍ଦ୍ର ମୋଦି ସରକାର ଆପଣଙ୍କ ସହ ଯାହା କରୁଛନ୍ତି ଆଦୌ ଠିକ୍‌ କରୁନାହିଁ। ଏହା ଭୁଲ। ମୁଁ ଶାହାରୁଖ ଖାନ୍‌ଙ୍କ ସହ ଅଛି।’

ତେବେ ଏହି ଟ୍ଵିଟ୍‌ ପରେ ଓ୍ଵକାରଙ୍କୁ ଲୋକେ ଜୋରଦାର ଟ୍ରୋଲ କରୁଥିବା ଦେଖାଯାଇଛି। କିଛି ପାକିସ୍ତାନୀ ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି କଡ଼ା ନିନ୍ଦା କରିଛନ୍ତି। ଜଣେ ୟୁଜର ଶାହାରୁଖଙ୍କୁ ସମର୍ଥନ କରି ଲେଖିଛନ୍ତି, ଶାହାରୁଖ ଖାନ୍‌ଙ୍କ ପତ୍ନୀ ହିନ୍ଦୁ ଓ ସେ ହିନ୍ଦୁଙ୍କ ପର୍ବ ମଧ୍ୟ ପାଳନ କରିଥାନ୍ତି। ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କ ଧର୍ମକୁ ବି ସମ୍ମାନ କରେ ସେ ଜଣେ ପ୍ରକୃତ ମଣିଷ।

ସେହିପରି ଜିଶାନ ଓ୍ଵାରସୀ ନାମକ ଜଣେ ୟୁଜର କଟାକ୍ଷ କରି ଲେଖିଛନ୍ତି, ହଁ ଶାହାରୁଖ ଖାନ୍‌ ଦୟା କରି ପାକିସ୍ତାନ ଆସନ୍ତୁ ଓ ଏଠାରେ କୌଣସି ଟିଭି ଚ୍ୟାନେଲର କୌଣସି ଚା ପାନ ଡ୍ରାମାରେ କାମ କରନ୍ତୁ। ମାନେ କିଛି ବି, ଆପଣଙ୍କଠୁ ଏଭଳି ବାଜେ ଟ୍ଵିଟ୍‌ ଆଶା କରାଯାଏ ନାହିଁ ଓ୍ଵାକର ଜାକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.