ଫୋବର୍ସ ତାଲିକାରେ ୧ ନମ୍ବର ସ୍ଥାନରେ ଅଛନ୍ତି ରଶ୍ମିକା ମନ୍ଦାନା, ସାମନ୍ଥା ଓ ୟଶଙ୍କୁ ବି ପକାଇଲେ ପଛରେ

ରଶ୍ମିକା ମନ୍ଦାନା, ଦକ୍ଷିଣ ଭାରତୀୟ ଦର୍ଶକଙ୍କର ସବୁଠାରୁ ପ୍ରିୟ ଅଭିନେତ୍ରୀ। ଏହି କିଛି ଦିନ ମଧ୍ୟରେ ରଶ୍ମିକା ନିଜର ଏକ ବଡ଼ ଫ୍ୟାନ୍‌ ବେସ୍‌ ତିଆରି କରିସାରିଲେଣି। ନିଜ ଚମତ୍କାର ଅଭିନୟ ଯୋଗୁ ଏବେ ଧୀରେ ଧୀରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଏହି ସୁନ୍ଦରୀ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ଏବେ ପୂରା ଦେଶର ଲୋକ ତାଙ୍କୁ ଚିହ୍ନିଲେଣି। ତେବେ ଫୋବର୍ସ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସବୁଠାରୁ ପ୍ରଭାବଶାଳୀ ଅଭିନେତ୍ରୀଙ୍କ ତାଲିକାରେ ସବୁଠୁ ଶୀର୍ଷରେ ଅଛନ୍ତି ରଶ୍ମିକା। ସେ ସାମନ୍ଥା, ବିଜୟ ଦେବରକୋଣ୍ଡା ଓ ୟଶ ପ୍ରମୁଖ ବଡ଼ ବଡ଼ କଳାକାରଙ୍କୁ ବି ପଛରେ ପକାଇ ଦେଇଛନ୍ତି।

ନିଜ ସୋସିଆଲ ମିଡିଆ ପେଜ୍‌ରେ ଫଲୋୟର୍ସ ସଂଖ୍ୟାରେ ଆଶାତୀତ ବୃଦ୍ଧି ହୋଇଥିବାରୁ ରଶ୍ମିକା ମନ୍ଦାନା ସବୁଠୁ ପ୍ରଭାବଶାଳୀ ଅଭିନେତ୍ରୀ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି। ରଶ୍ମିକା ମନ୍ଦାନାଙ୍କ ଫଲୋୟର୍ସ ସଂଖ୍ୟା ଏତେ ବଢ଼ିଯିବ ବୋଲି ସେ ନିଜେ ବି କେବେ ଆଶା କରିନଥିଲେ। କିନ୍ତୁ ତାଙ୍କ ଲୁକ୍‌, ଷ୍ଟାଇଲ୍‌ ସବୁ କିଛି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏଣୁ ତାଙ୍କ ସୋସିଆଲ ମିଡିଆକୁ ଲୋକେ ଫଲୋ କରିବା ଆରମ୍ଭ କରିଛନ୍ତି। ଫଳରେ ଏବେ ଫୋବର୍ସ ଇଣ୍ଡିଆର ସବୁଠୁ ପ୍ରଭାବଶାଳୀ ଅଭିନେତ୍ରୀ ପାଲଟିଛନ୍ତି ରଶ୍ମିକା।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜୟ ଦେବରକୋଣ୍ଡା। ବିଜୟ ନିଜ ଫିଲ୍ମ ପେଲୀ ଚୋପୁଲୁ ଓ ଅର୍ଜୁନ ରେଡ୍ଡି ଯୋଗୁ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ପରେ ରହିଛନ୍ତି କନ୍ନଡ଼ର ସବୁଠାରୁ ହ୍ୟାଣ୍ଡ୍‌ସମ୍‌ ହଙ୍କ୍‌ ୟଶ। ଏହି ତାଲିକାରେ ତାଙ୍କ ପରେ ଚତୁର୍ଥ ସ୍ଥାନରେ ଅଛନ୍ତି ସାମନ୍ଥା ରୁଥ ପ୍ରଭୁ। ତାଙ୍କ ପରେ ଅଛନ୍ତି ଅଲ୍ଲୁ ଅର୍ଜୁନ।

ଫୋବର୍ସ ପକ୍ଷରୁ ତେଲୁଗୁ, ତାମିଲ, ମାଲାୟାଲମ୍‌ ଓ କନ୍ନଡ଼ ଫିଲ୍ମ ଉଦ୍ୟୋଗର ଲୋକପ୍ରିୟ ତାରକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଗତିବିଧି ଉପରେ ବିଚାର କରାଯାଇଥିଲା। ସେପ୍ଟେମ୍ବର ୩୦ ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ କେତେ ନୂଆ ଫଲୋୟର୍ସ ବଢ଼ିଛନ୍ତି ତାହାକୁ ତାଲିକା କରାଯାଇଥିଲା। ଏହି ରିସର୍ଚ୍ଚ ମୁତାବକ ପ୍ରଭାବଶାଳୀ ଲିଷ୍ଟ ପ୍ରକାଶ ପାଇଛି।


ସୂଚନାଯୋଗ୍ୟ ଯେ ରଶ୍ମିକା ମନ୍ଦାନାଙ୍କୁ ଅଲ୍ଲୁ ଅର୍ଜୁନ୍‌ଙ୍କ ଆଗାମୀ ଆକ୍ସନ୍‌ଡ୍ରାମା ଫିଲ୍ମ ‘ପୁଷ୍ପା’ରେ ଦେଖିବାକୁ ମିଳିବ। ଫିଲ୍ମରେ ସେ ଜଣେ ଗ୍ରାମୀଣ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଖୁବ୍‌ଶୀଘ୍ର ସେ ଶରବାନନ୍ଦଙ୍କ ‘ଆଦବଲ୍ଲୀ ମିକୁ ଜୋହରଲୁ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.